ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍ରେ ବିଭିନ୍ନ କଳାକୃତି
ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ସଜେଇ ହେଉଛି ରାଜଧାନୀ। କଳାକୃତିରେ ଝଲସୁଛି ମନ୍ଦିର ମାଳିନୀ ସହର। ସହରର ବିଭିନ୍ନ ସ୍ଥାନରେ 3D ପେଣ୍ଟିଂ ଚାଲିଥିବା ବେଳେ ପୁରୁଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆକର୍ଷଣୀୟ କଳାକୃତି।
ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍ରେ ତିଆରି ହୋଇଛି ବିଭିନ୍ନ କଳାକୃତି। ଏଭଳି ଏକ ନିଆରା ଉଦ୍ୟମ କରିଛି ଭୁବନେଶ୍ୱର ଆର୍ଟ ଟ୍ରେଲ୍। ଯାହାକି କଳାପ୍ରେମୀଙ୍କୁ ବେଶ୍ ଆକୃଷ୍ଟ କରୁଛି। କେଉଁଠି ମହାପ୍ରସାଦ କୁଡୁଆରେ ନିର୍ମିତ ମନ୍ଦିର ତ ଆଉ କେଉଁଠି ଦୀପରେ ତିଆରି ମାଛ ଏଭଳି ଅନେକ ଆକର୍ଷଣୀୟ କଳା ଦେଖିବାକୁ ମିଳିଛି।
ଏହାସହ ଡକ୍ ଏଭବ୍ ଫିସ୍ ବିଲୋ ଥିମ୍କୁ ନେଇ ପାଣି ଭିତରେ ଶୋଭା ପାଉଛି ବାଉଁଶ ଘର। ଏଭଳି ଅନେକ କିଛି କଳାର ସମାହାର ଦେଖିବାକୁ ମିଳିଛି ଭୁବନେଶ୍ୱର ଆର୍ଟ ଟ୍ରେଲ୍ରେ। ଯାହାକୁ ଲୋକମାନେ ବେଶ୍ ଉପଭୋଗ କରୁଛନ୍ତି।
ପୁରୁଣା ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ଠାରୁ ନୀଳକଣ୍ଠେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଦେଢ କିଲୋମିଟର ବ୍ୟାପୀ କଳାକୃତି ହୋଇଛି। ବିନ୍ଦୁ ସାଗରରେ ମାଟି କୁଡୁଆରେ ତିଆରି ମନ୍ଦିର ଓ ଦୀପର ମାଛ ପାଖରେ ସେଲ୍ଫି ପାଇଁ ଲୋକଙ୍କ ଭିଡ଼ ଜମୁଛି। ଦେଶ ବିଦେଶର ୨୪ ଜଣ କଳାକାର ସେମାନଙ୍କର କଳା ନୈପୁଣ୍ୟ ଦେଖାଇଛନ୍ତି। ଯେଉଁଥିରେ ଓଡିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି।
ମାସେ ଧରି ଚାଲିବାକୁ ଥିବା ଏହି ମେଳା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।