ପତ୍ନୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଲେ ଗିରଫ ସେନା ଅଧିକାରୀ

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହୋଇଥିବା ମେଜର୍ ସୌମ୍ୟରଞ୍ଜନ ପତି, ପତ୍ନୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି।

ସୌମ୍ୟରଞ୍ଜନଙ୍କ ଓକିଲଙ୍କ କହିବା ଅନୁସାରେ, ବିବାଦ ତାଙ୍କ ପତ୍ନୀଙ୍କ ଦିଗରୁ ଆରମ୍ଭ ହୋଇଥିଲା। ୨୦୧୩ରେ ଉଭୟଙ୍କ ବିବାହ ହୋଇଥିଲା। ମେଜର୍ ସୌମ୍ୟରଞ୍ଜନ ଅନ୍ୟ ରାଜ୍ୟରେ ପୋଷ୍ଟିଂରେ ଥିବା ବେଳେ ପତ୍ନୀ ଦିଲ୍ଲୀରେ ରହି ଚାକିରୀ କରୁଥିଲେ। ତେବେ ତାଙ୍କର ଅନ୍ୟ ବ୍ୟକ୍ତିଙ୍କ ସହ ସମ୍ପର୍କ ଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସୌମ୍ୟରଞ୍ଜନ ଜାଣିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇ ବିବାହ ବିଚ୍ଛେଦ ନେଇ କଥାବାର୍ତ୍ତା ହୋଇଥିଲା।

ସୌମ୍ୟରଞ୍ଜନଙ୍କ ଓକିଲଙ୍କ ଆହୁରି ମଧ୍ୟ କହିଛନ୍ତି,ଉଭୟ ପତି-ପତ୍ନୀ ଅଲଗା ରହୁଥିବା ବେଳେ ଗତ କିଛି ମାସ ତଳେ ତାଙ୍କ ପତ୍ନୀ ସୌମ୍ୟରଞ୍ଜନଙ୍କ ଘରକୁ ଜବରଦସ୍ତି ଆସିଥିଲେ। ନିଜ ପରିବାରଲୋକଙ୍କ ସହ ଆସି ପାଟିତୁଣ୍ଡ କରିବା ଯୋଗୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା।

ସୌମ୍ୟରଞ୍ଜନଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ତାଙ୍କ ଓକିଲ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷେ, ଏହି ଅଭିଯୋଗ ନେଇ ସୌମ୍ୟରଞ୍ଜନଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ମିିଳିପାରିନାହିଁ।

ମେଜର ସୌମ୍ୟରଞ୍ଜନଙ୍କ ଉପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ। ତାଙ୍କୁ ଗିରଫ କରାଯିବା ପରେ ଆର୍ମି କଷ୍ଟୋଡିକୁ ପଠାଯାଇଛି।

You might also like