ଗ୍ୟାଙ୍ଗଷ୍ଟର ଟିଟୋର ବାଂଲାଦେଶ ଲିଙ୍କ୍
ଟିଟୋର ଗୁମର ଖୋଲିଲେ ଗିରଫ ଦୁଇ ଭାଇ
ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ଖୋଲୁଛି କ୍ରାଇମ୍ ସିଣ୍ଡିକେଟ ଗୁମର। କ୍ରାଇମ୍ବ୍ରାଞ୍ଚ ଏସଟିଏଫ୍ ଦ୍ୱାରା ଦୁଇ ଭାଇ ଓ ସଢୁ ଗିରଫ ପରେ ଆଜି କେନ୍ଦ୍ରାପଡ଼ା ଏସଡିଜେ୍ଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଶ୍ୟାମ ଗୁଡ଼ିଆ ଜମି ହଡ଼ପ ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।
ତେବେ ଏସଟିଏଫ୍ ପଚରାଉଚରାରୁ ଦୁଇ ଭାଇ ଟିଟୋର ବାଂଲାଦେଶ ଲିଙ୍କ୍ର ଗୁମର ଖୋଲିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପୁଲିସ୍ କବଜାରୁ ବଞ୍ଚିବା ପାଇଁ ଜଳପଥ ଦେଇ ବେଆଇନ ଭାବେ ବାଂଲାଦେଶରେ ଆଶ୍ରୟ ନେଇଥାଏ ଟିଟୋ। କେବଳ ସେତିକି ନୁହେଁ, ବାଂଲାଦେଶରୁ ଚୋରା ସୁନା କାରବାରରେ ଗ୍ୟାଙ୍ଗଷ୍ଟର ଟିଟୋର ଲିଙ୍କ୍ ନେଇ ଏସ୍ଟିଏଫ୍ ପଚରାଉଚରାରୁ ସୁରାଗ ପାଇଛି।
ଟିଟୋର ଶାଳକ ମାମୁର୍ ଯିଏ ଟିଟୋର ଅର୍ଥ କାରବାରର ବୁଝାସୁଝା କରିଥାଏ, ତାକୁ ଏବେ ଏସ୍ଟିଏଫ୍ ଖୋଜୁଛି। ଟିଟୋ ଗିରଫ ହେବା ପର ଠାରୁ ଦୁଇ ଭାଇ ଜି.ବାବୁ ଓ ଚିତୁ ଏବଂ ସଢୁ ମୁନା ଦୀର୍ଘ ବର୍ଷ ଧରି ଫେରାର ରହିଥିଲେ।
୨୦୧୮ ମସିହାରେ ଜୋର ଜବରଦସ୍ତ ଜମି ହଡ଼ପ ମାମଲା ବ୍ୟତୀତ ଦାଦାବଟି, ଟେଣ୍ଡର ଫିକ୍ସିଂ, ବେଆଇନ ଅର୍ଥ କାରବାର ଓ ବେଆଇନ ବନ୍ଧୁକ କାରବାରରେ ଏମାନେ ସଂପୃକ୍ତ ରହିଛନ୍ତି। ଏଯାଏଁ ଟିଟୋ ଗ୍ୟାଙ୍ଗର ୨୪ ଜଣଙ୍କୁ ଏସଟିଏଫ୍ ଗିରଫ କରିଛି। ଦୁଇ ଭାଇଙ୍କୁ ପଚରାଉଚରାରୁ ଟେଣ୍ଡର ଫିକ୍ସିଂ ମାମଲାରେ ସହାୟତା କରୁଥିବା କିଛି ବ୍ୟବସାୟୀ, ସରକାରୀ ବାବୁଙ୍କ ତାଲିକା ତିଆରି କରିଛି କ୍ରାଇମବ୍ରାଞ୍ଚ। ସେମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବେ ବୋଲି ଜଣାପଡିଛି।
ଏହା ସହ ଦୁଇ ଭାଇ ଓ ସଢୁଙ୍କୁ ରିମାଣ୍ଡରେ ଅଣାଯାଇପାରେ। ଦରକାର ପଡିଲେ ଅଧିକ ପଚରା ଉଚରା ପାଇଁ ଟିଟୋକୁ ମଧ୍ୟ ରିମାଣ୍ଡରେ ଅଣାଯାଇପାରେ ବୋଲି ଏସଟିଏଫ୍ ଏସପି ସୂଚନା ଦେଇଛନ୍ତି।
ଆଗକୁ ପାଟକୁରା ନିର୍ବାଚନ ଆସୁଥିବାରୁ ୧୦ ମାସର ବ୍ୟବଧାନ ପରେ ହଠାତ୍ କାହିଁକି ଏସଟିଏଫ୍ ସକ୍ରିୟ ହେଲା ବୋଲି ଟିଟୋର ଆଇନଜୀବୀ ପ୍ରଶ୍ନ କରିଛନ୍ତି।