କୁମ୍ଭମେଳାକୁ ଯାଇଥିଲେ ଓଡ଼ିଶାର ୪୦୦ରୁ ଅଧିକ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଓଡ଼ିଶାରୁ ୧୫୦ ପରିବାର ଉତ୍ତରାଖଣ୍ଡର କୁମ୍ଭମେଳା ଯାଇଛନ୍ତି।୧୫୦ଟି ପରିବାରରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯାଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମରୁ ୨୫, ଖୋର୍ଦ୍ଧାରୁ ୧୦, ନବରଙ୍ଗପୁରରୁ ୨୦, ପୁରୀରୁ ୨୦ ଓ କଟକରୁ ୯ ପରିବାର କୁମ୍ଭମେଳା ଯାଇଥିବା ସୂଚନା ମିଳିଛି।

କୁମ୍ଭମେଳା ଫେରନ୍ତାଙ୍କ ପାଇଁ SRC ଶନିବାର ନୂଆ ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ସମସ୍ତ କୁମ୍ଭମେଳା ଫେରନ୍ତାଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିମାନ ବା ଟ୍ରେନରେ ଫେରିବା ପୂର୍ବରୁ RTPCR ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କର୍ତ୍ତୃପକ୍ଷଙ୍କୁ SRC ଚିଠି କରିଛନ୍ତି। କୁମ୍ଭମେଳାରେ ସାମିଲ ଶ୍ରଦ୍ଧାଳୁଙ୍କ ଚିହ୍ନଟ ପାଇଁ SRC ନିର୍ଦ୍ଦେଶ ଦେଇଛନ୍ତି।

ସେମାନେ ବୁଲିଥିବା ସ୍ଥାନ, ପରିଭ୍ରମଣ ଯୋଜନାର ତଥ୍ୟ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଫେରିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଲକ୍ଷଣ ଦେଖାଦେଲେ ଅଙ୍ଗନବାଡ଼ି ଓ ଆଶାକର୍ମୀ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବେ। PHC, CHC, BDO ଓ NAC ଅଧତ୍କାରୀଙ୍କୁ ରିପୋର୍ଟ କରିବେ। ଶେଷରେ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଓ SRCଙ୍କୁ ସବିଶେଷ ରିପୋର୍ଟ ଦେବେ।

କରୋନାର ଦ୍ୱିତୀୟ ଲହର ବେଳେ ରାଜ୍ୟ ପାଇଁ କାଳ ହେବେ କି କୁମ୍ଭ ମେଳା ଫେରନ୍ତା? ବଢୁଥିବା ସଂକ୍ରମଣ ହାରକୁ ଆହୁରି ବିଗାଡ଼ି ଦେବ କି କୁମ୍ଭ ଫେରନ୍ତାଙ୍କ ଉପସ୍ଥିତି? ଅନ୍ୟ ରାଜ୍ୟ ଭଳି ଏ ପ୍ରସଙ୍ଗକୁ ନେଇ ଏବେ ଚିନ୍ତାରେ ଓଡ଼ିଶା ସରକାର କାରଣ ହରିଦ୍ୱାର କୁମ୍ଭମେଳାରେ ୧୭ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ କୁମ୍ଭ ଫେରନ୍ତାଙ୍କୁ ସବୁ ରାଜ୍ୟରେ ବଢୁଛି ଉଦ୍‌ବେଗ।

ତେବେ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁରର ଚିନ୍ମୟ ପାତ୍ର ତାଙ୍କ ପରିବାର ନିକଟରେ କୁମ୍ଭ ମେଳାରୁ ଫେରିଛନ୍ତି। ସରକାରୀ ଗାଇଡଲାଇନ୍ ମାନି ପୁରା ପରିବାର ଏବେ ଆଇସୋଲେସନ୍‌ରେ। ସେହିପରି ପୁରୀ ଶ୍ରୀମନ୍ଦିରର ସେବକ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ତାଙ୍କ ଭଳି ଅନେକ ସେବାୟତ ବି ମେଳାରୁ ଫେରିବା ପରେ ସରକାରୀ ନିୟମକୁ ସମ୍ମାନ ଦେଇ କ୍ୱାରେଣ୍ଟିନରେ ଅଛନ୍ତି।

ସେପଟେ କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ ପରେ ଏହି ଧାର୍ମିକ ସମାବେଶ ସମାପନ ନେଇ ଘୋଷଣା କରିଛନ୍ତି ସ୍ବାମୀ ଅବଧେଶାନନ୍ଦ ଗିରି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ କୁମ୍ଭମେଳାକୁ ଜୁନା ଆଖଡ଼ା ପକ୍ଷରୁ ସମାପନ କରାଯାଇଥିବା ନେଇ ଟୁଇଟ ମାଧ୍ୟମରେ ଜଣାଇଛନ୍ତି। ଟୁଇଟ୍ କରି କହିଛନ୍ତି ଲୋକଙ୍କ ଜୀବନ ରକ୍ଷା ହେଉଛି ପ୍ରାଥମିକତା। ତେଣୁ କୁମ୍ଭକୁ ଜୁନା ଆଖଡା ପକ୍ଷରୁ ସମାପନ କରିବାକୁ ନିଷ୍ପତ୍ତି ନିଆଗଲା।

ବିଧି ମୁତାବକ କୁମ୍ଭରେ ଆବାହିତ ସମସ୍ତ ଦେବାଦେବୀଙ୍କୁ ବିସର୍ଜନ କରାଯାଇଥିବା ସେ କହିଛନ୍ତି। କୁମ୍ଭମେଳାରେ ସାହିସ୍ନାନରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାବେଶ ପରେ ହରିଦ୍ୱାର ସମେତ ସମଗ୍ର ଉତ୍ତରାଖଣ୍ଡରେ ସଂକ୍ରମଣ ବୃଦ୍ଧି ପାଇଥିଲା। ସ୍ଥିତିକୁ ଦେଖି କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଥିଲେ। ଉତ୍ତରାଖଣ୍ଡ ସରକାରଙ୍କ ପଞ୍ଜୀକରଣ ରିପୋର୍ଟରୁ ତଥ୍ୟ ମିଳିଛି।

You might also like