ସେନାରେ ଭର୍ତ୍ତି ହେବା ପାଇଁ ଆସିଥିଲେ, ରାସ୍ତାକଡ଼ରେ କାଟିବାକୁ ପଡ଼ିଲା ରାତି

ଭୁବନେଶ୍ୱର : ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେବାକୁ ଦେଶର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ଆସିଥିଲେ ଯୁବକ। କିନ୍ତୁ ରାଜଧାନୀର ରାସ୍ତାକଡ଼ରେ ଯାଯାବରଙ୍କ ଭଳି ରାତି କାଟିବାକୁ ପଡ଼ିଛି ଏହି ଭବିଷ୍ୟ ଯବାନମାନଙ୍କୁ। ଆଉ ଏହି ଚିତ୍ର ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଟେରିଟୋରିଆଲ୍‌ ଆର୍ମିର ଭୁବନେଶ୍ୱରରେ ଥିବା ୧୨୦ ଇନ୍‌ଫ୍ରାନଣ୍ଟ୍ରି ବାଟାଲିୟନ୍‌ରେ ଯବାନ ଭର୍ତ୍ତି ପାଇଁ ନିଯୁକ୍ତି ରାଲି ବେଳେ ବହୁ ହଇରାଣର ସମ୍ମୁଖୀନ ହୋଇଛନ୍ତି ପରୀକ୍ଷାର୍ଥୀ। କାରଣ ସେମାନଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିଲା। ପରୀକ୍ଷା ଦେବାକୁ ଆସିଥିବା ହଜାର ହଜାର ପରକ୍ଷାର୍ଥୀ ଭୁବନେଶ୍ୱରରେ ରାତି ସାରା ଅସୁରକ୍ଷିତ ଭାବେ ଫୁଟପାଥ୍‌ରେ ଶୋଇଥିଲେ। କିଏ କିଏ ଖୋଲା ଆକାଶ ତଳେ ମଧ୍ୟ ଶୋଇଥିଲେ। ସୋଶାଲ୍‌ ମିଡ଼ିଆରେ ଏହାର ଭିଜୁଆଲ୍ ଭାଇରାଲ ହୋଇଛି।

ତେବେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏ ସଂପର୍କରେ ସେନା ସହିତ ଆଲୋଚନା ହୋଇଛି। ପରୀକ୍ଷାର୍ଥୀଙ୍କ ପାଇଁ ଅସ୍ଥାୟୀ ଭାବେ ଟେଣ୍ଟ କରିବାକୁ ଏକ ଖୋଲା ପଡ଼ିଆ ଯୋଗାଇ ଦିଆଯାଇଛି। ଆଉ ଯଦି କିଛି ସହଯୋଗ ଦରକାର ହୁଏ, ତେବେ କମିଶନରେଟ୍‌ ପୁଲିସ ତାହା ଯୋଗାଇ ଦେବ। କିନ୍ତୁ ସେନାର ନିଯୁକ୍ତି ପ୍ରକ୍ରିୟାରେ କୌଣସି ହସ୍ତକ୍ଷେପ ରାଜ୍ୟ ପୁଲିସ କରିପାରିବ ନାହିଁ ବୋଲି କହିଛନ୍ତି ପୁଲିସ କମିଶନର।

You might also like