ଆଜି ସେନା ଦିବସ: ସହିଦଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ପତ୍ନୀ, ସନ୍ତାନ

ନୂଆଦିଲ୍ଲୀ: ସେମାନଙ୍କ ପାଇଁ ଦିନ ରାତି ସମାନ। ବର୍ଷା, ଖରା କି ଶୀତରେ ସେମାନଙ୍କ ପାଇଁ କିଛି ନୂତନତା ନ ଥାଏ। ଜୀବନ ସେମାନଙ୍କର ଏଇ ଅଛି ଏଇ ନାହିଁ…। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। ଦେଶର ସୁରକ୍ଷା କବଚ। ସେନା ଦିବସରେ ଆଜି ବୀର ଯବାନଙ୍କୁ ସଲାମ..।

ଆଜି ୭୩ ତମ ସେନା ଦିବସ । ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ସେନା ଦିବସ ପାଳନ କରାଯାଇ ଆସୁଛି । ପ୍ରତିବର୍ଷ ଜାନୁଆରୀ ୧୫ରେ ସ୍ଥଳସେନା ଦିବସ ପାଳନ ହୋଇ ଆସୁଛି । ୧୯୪୯ ଆଜିର ଦିନରେ ଭାରତର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ସାର୍ ଫ୍ରାନସିସ ବୁଚରଙ୍କଠାରୁ ଭାରତର ଫିଲ୍ଡ ମାର୍ଶଲ କେ. ଏମ୍. କରିଆପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ । କରିଅପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ୍ ।

ସେନା ଦିବସରେ ଦେଶ ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ।  ଆଜି ମଧ୍ୟ ଦେଶବ୍ୟାପୀ ସେନା ଶିବିରରେ ଏହି ଦିବସ ପାଳନ କରାଯାଉଛି।  ସ୍ଥଳସେନା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯବାନମାନଙ୍କୁ ସେନା ଦିବସରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ଦେଶର ସୁରକ୍ଷା ପାଇଁ ସହିଦ ହୋଇଥିବା ଯବାନମାନଙ୍କ ପରିବାର ନିକଟରେ ସାରା ଦେଶ କୃତଜ୍ଞ ରହିବା ସହ ସେମାନଙ୍କର ଅଦମ୍ୟ ସାହସ, ଦେଶପ୍ରତି ରହିଥିବା ନିଷ୍ଠା ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ସିଡିଏସ୍ ବିପିନ ରାଓ୍ବତ୍।

ଆଜି ସ୍ଥଳ ସେନା ଦିବସରେ ସବୁଠି ସହିଦଙ୍କୁ ମନେ ପକାଇ ସେମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଜିର ଦିନରେ ଅବସରପ୍ରାପ୍ତ ଯବା, ସହୀଦ ଯବାନଙ୍କ ପରିବାର ସେଦିନର ସ୍ମୃତିକୁ ମନେ ପକେଇଛନ୍ତି।

ଜାମ୍ମୁ କାଶ୍ମୀର ଫୁଲଓ୍ୱାମା ଆତଙ୍କବାଦୀ ହମଲାକୁ ଇତି ମଧ୍ୟରେ ୨ ବର୍ଷ ପୂରିଲାଣି । ହେଲେ ଏହି ଘଟଣାକୁ ଭୁଲି ପାରିନାହାନ୍ତି ଜଗତସିଂହପୁର ଜିଲ୍ଳା ନାଉଗାଁ ବ୍ଲକ୍ ପାରିଶିଖର ଗାଁର ସହିଦ ପ୍ରସନ୍ନ ସାହୁଙ୍କ ପରିବାର । ଖାଲି ତାଙ୍କ ପରିବାର ଲୋକେ ନୁହଁନ୍ତି, ଦେଶ ପାଇଁ ଜୀବନ ଉତ୍ସର୍ଗୀକୃତ କରିଥିବାରୁ ଗାଁ ଲୋକଙ୍କ ସହ ସାରା ଦେଶ ପ୍ରସନ୍ନଙ୍କୁ ମନେ ରଖିଛି ।

ସରକାରୀ ସ୍ତରରେ ଯାହା ଆର୍ଥିକ ସହାୟତା ମିଳିବା କଥା ସହିଦଙ୍କ ପରିବାରକୁ ମିଳିସାରିଛି । ହେଲେ ପ୍ରଶାସନ କରିଥିବା କିଛି ଘୋଷଣା ଆଜି ମଧ୍ୟ ପୂରଣ ହୋଇ ପାରିନଥିବା କହିଛନ୍ତି ସହିଦଙ୍କ ପରିବାର ଲୋକେ । ପ୍ରସନ୍ନ ସାହୁ ପଢିଥିବା ବିଦ୍ୟାଳୟକୁ ତାଙ୍କ ନାମରେ ନାମିତ ପାଇଁ ଘୋଷଣା କରାଯାଇଥିଲେ ବି ଏପର୍ଯ୍ୟନ୍ତ ହୋଇପାରିନି । ସେହିପରି ତାଙ୍କ ନାଁରେ ସହିଦ ପାର୍କ ମଧ୍ୟ ନିର୍ମାଣ ହୋଇପାରିନି । ଯାହା କେବଳ ଗ୍ରାମବାସୀଙ୍କ ସହଯୋଗରେ ସହିଦଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

ସେହିପରି,  ଗଲୱାନ ଘାଟିରେ ଚୀନ ସହ ରକ୍ତାକ୍ତ ସଂଘର୍ଷରେ ମୟୂରଭଞ୍ଜ ରାଇରଙ୍ଗପୁରର ବଡଚମ୍ପାଉଦା ଗାଁର ନୁଦୁରାମ ସୋରେନ ସହିଦ ହୋଇଥିଲେ। ସହିଦଙ୍କ ପରିବାର କହିଲେ, ପତ୍ନୀ ଏବଂ ତାଙ୍କ ତିନି ଝିଅ। ପ୍ରତିବର୍ଷ ମକର ସଂକ୍ରାନ୍ତିରେ ନୁଦୁରାମ ଘରକୁ ଆସିଥାନ୍ତି ତେଣୁ ମକର ସଂକ୍ରାନ୍ତି ଆସିଲେ ଭାରି ମନେପଡୁଥିବା କହିଛନ୍ତି ନୁଦୁରାମଙ୍କ ପରିବାର ଲୋକେ। ସମସ୍ତ ସରକାରୀ ସହାୟତା ମିଳିସାରିଥିବା କହିଛନ୍ତି ସହିଦ ନୁଦୁରାମଙ୍କ ପତ୍ନୀ । ଏପଟେ ଆଗକୁ ଇଂଜିନିୟର ହୋଇ ବାପାଙ୍କ ନାଁ ରଖିବେ ବୋଲି କହିଛନ୍ତି ସହିଦଙ୍କ ବଡ ଝିଅ ।

You might also like