ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ଥିବା ଓ ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଖଣ୍ଡନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ରାଜେଶ ଭୂଷଣ କହିଛନ୍ତି, ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି। ରାଜ୍ୟ ସରକାର ଏ ଯାଏ ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ପ୍ରଦାନ କରିଛନ୍ତି। ଅତଏବ ରାଜ୍ୟ ପାଖରେ ଏବେ ମଧ୍ୟ ୧୧ ଲକ୍ଷ ୪୯ ହଜାର ୩୨୯ ଡୋଜ୍ ଟିକା ଗଚ୍ଛିତ ଅଛି। ରାଜ୍ୟରେ ଦିନକୁ ହାରାହାରି ୬୯ ହଜାର ୭୬ ଜଣ ଲୋକ ଟିକା ନେଉଛନ୍ତି। ୨୮ ଦିନ ଭିତରେ ଆଉ ୫ ଲକ୍ଷ ୪୮ ହଜାର ଟିକା ପହଞ୍ଚିଯିବ ବୋଲି ଭୂଷଣ ଲେଖିଛନ୍ତି।
ତଥ୍ୟ ଅନୁସାରେ ପାତର ଅନ୍ତର ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଭୂଷଣ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଏହି ଉତ୍ତର ପରେ ପ୍ରଦୀପ୍ତ ମହାପାତ୍ରଙ୍କଠାରୁ କ୍ଷମା ଦାବି କରିଛି ରାଜ୍ୟ ବିଜେପି। ଟ୍ୱିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟ ସରକାର ଟିକାକୁ ନେଇ ବିଭ୍ରାନ୍ତ କରୁଛନ୍ତି। ଯଥେଷ୍ଟ ଟିକା ମହଜୁଦ ଥିବା ନେଇ ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ଆଲୋଚନା କରିଥିବା ଉଲ୍ଲେଖ କରିଛନ୍ତି।
ସେହିପରି ବିଜେପି ଗୋଲକ ମହାପାତ୍ର କହିଛନ୍ତି, ୧୧ ଲକ୍ଷ ଟିକା ମହଜୁଦ ଥାଇ ACS ଏମିତି ଚିଠି ଲେଖୁଛନ୍ତି। ଏହି ଚିଠି ପାଇଁ ସେ ତୁରନ୍ତ କ୍ଷମା ପ୍ରାର୍ଥନା ସହ ଏହାକୁ ପ୍ରତ୍ୟାହାର କରନ୍ତୁ। ରାଜ୍ୟରେ କରୋନା ଟିକାର ଅଭାବ ଥିବା ନେଇ ଗତକାଲି କେନ୍ଦ୍ରକୁ ଚିଠି ଲେଖି ଅଧିକ ଟିକା ଦେବାକୁ କହିଥିଲେ ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ତେବେ କେନ୍ଦ୍ରର ଉତ୍ତର ଓ ବିଜେପିର ଟାର୍ଗେଟ ଉପରେ ରାଜ୍ୟ ସରକାର କିମ୍ବା ପ୍ରଦୀପ୍ତ ମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।