‘ମନଉଣା’ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରଦୀପ ମହାରଥୀଙ୍କ ଝିଅ ଓ ଜ୍ୱାଇଁ

ଭୁବନେଶ୍ୱର: ପୁଅ ରୁଦ୍ରଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ବି ମହାରଥୀ ପରିବାରରେ ଆସିପାରୁନି କି ସହମତି ? ଟିକେଟ୍ ନପାଇ ମନ ଊଣା କରିଛନ୍ତି କି ମା ପ୍ରତିଭା ମହାରଥୀ? ପୁଅକୁ ଯୋଦ୍ଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତି କି ମା? ଏବେ ଚର୍ଚ୍ଚା ଏୟା ହିଁ ହେଉଛି। ଆଉ ଏ ଚର୍ଚ୍ଚାକୁ ବଳ ଦେଉଛି ପ୍ରତିଭାଙ୍କୁ ବିଜେଡିର ମାନଭଞ୍ଜନ ପ୍ରୟାସ ପ୍ରାର୍ଥୀ ଭାବେ ରୁଦ୍ରଙ୍କ ନାଁରେ ମୋହର ବାଜିବା ପରେ ମା ପ୍ରତିଭାଙ୍କୁ ଭେଟିବାକୁ ବିଜେଡିର ଏକ ଟିମ୍ ଗତକାଲି ପ୍ରଥମେ ପ୍ରଦୀପ ମହାରଥୀଙ୍କ ସରକାରୀ ବାସଭବବନକୁ ଯାଇଥିବା ଦେଖିବାକୁ ମିଳିଥିଲା।

ସେଠି ତାଙ୍କ ସାକ୍ଷାତ ନପାଇ, ପରେ ଶହୀଦନଗରରେ ତାଙ୍କୁ ଭେଟି ଏହି ଆଲୋଚନା କରିଥିଲା, ମନେଇବାକୁ ଉଦ୍ୟମ କରିଥିଲା ଯାହାକୁ ପରୋକ୍ଷରେ ଦଳୀୟ ନେତା ସ୍ୱୀକାର ବି କରିଛନ୍ତି। ତେବେ ଗଣମାଧ୍ୟମର ତମାମ ପ୍ରୟାସ ସତ୍ତ୍ୱେ ଏନେଇ ପ୍ରତିଭା ଏଯାଏଁ ମୁହଁ ଖୋଲି ନଥିଲା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେମତି କିଛି ନାହିଁ।

ଘରର ମୂରବୀ ଚାଲିଯାଇଛନ୍ତି। ଆଶା କରିବା ସ୍ୱାଭାବିକ । କିନ୍ତୁ ସବୁ କଥାକୁ ନେଇ ଚର୍ଚ୍ଚା କରିବା ଠିକ୍ ନୁହେଁ। ସେ ମୋର ବନ୍ଧୁଙ୍କ ପତ୍ନୀ। ସେ ମୋତେ ଭାଇ କରିଛନ୍ତି। ଆମେ ପାରିବାରିକ କଥା ହୋଇଥିଲୁ।
-ଦେବୀ ମିଶ୍ର, ବିଜେଡି ଉପସଭାପତି
ମୋ ମା ବାପାଙ୍କୁ ହରାଇଛି। ଆମ ପରିବାର ଉପରେ ଦୁଃଖ ପଡ଼ିଛି। ଯୋଉ ମାର ମେରୁଦଣ୍ଡ ତାର ପୁଅ, ସେଇ ସମୟରେ ଏପରି ଚର୍ଚ୍ଚା କରିବା ଠିକ୍‌ ନୁହେଁ। ମୋ ମାଙ୍କ ବହୁତ ଟ୍ୟାଲେଣ୍ଟ ଅଛି। ସେଥିପାଇଁ ଲୋକମାନେ ସପୋର୍ଟ କରୁଥିଲେ। କିନ୍ତୁ ମା ଓ ପୁଅ ଭିତରେ ଏତେ ଚର୍ଚ୍ଚା କରିବାଟା ଭୁଲ୍।  
-ପଲ୍ଲବୀ ମହାରଥୀ, ପ୍ରଦୀପ ମହାରଥୀଙ୍କ ଝିଅ
ଆମର ପରିବାର ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ କୁହାଯାଇଥିଲା। ସେଇ କଥାକୁ ହିଁ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ସେଥିପାଇଁ ଆମେ ବହୁତ ଖୁସି ଅଛୁ। କେହି ଅସନ୍ତୁଷ୍ଟ ନାହାନ୍ତି, ଆମେ ସମସ୍ତେ ଏକ ଅଛୁ।
-ଅର୍ଦ୍ଧେନ୍ଦୁ ସାହୁ, ପ୍ରଦୀପ ମହାରଥୀଙ୍କ ଜ୍ୱାଇଁ

ଏପଟେ ବିଜେପି-ବିଜେଡି ପ୍ରାର୍ଥୀ ଘୋଷଣା ପରେ ପିପିଲି ଦଖଲ ପାଇଁ ଜୋର୍ ଧରିଛି ରାଜନୈତିକ କମରକଷା। ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଫୁଲ୍ ଦମ୍‌ରେ ଗ୍ରାଉଣ୍ଡ ଓ୍ୱାର୍କରେ ଲାଗିପଡ଼ିବା ସହ ନିଜ ବାସଭବନରେ ଦଳୀୟ କର୍ମୀଙ୍କ ସହ ରଣନୀତି ବି ପ୍ରସ୍ତୁତ କରିଛନ୍ତି।

ବିଜେଡି ବି ପଛରେ ନାହିଁ ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ଆସନ୍ତା ୩୦ ତାରିଖରେ ନାମାଙ୍କନ ଦାଖଲ କରିବେ। ତେଣୁ ଆଜି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ବାସଭବନରେ ଦଳର ପିପିଲି ଦାୟିତ୍ୱରେ ଥିବା ନେତାମାନେ ଏନେଇ ଷ୍ଟ୍ରାଟେଜି ବନେଇବା ସହ ପଞ୍ଚାୟତ ଓ୍ୱାରି ନେତାଙ୍କୁ ଦିଆଯାଇଥିବା ଦାୟିତ୍ୱ କିଭଳି ସଂପାଦନ ହେବ ସେନେଇ ଆଲୋଚନା ହୋଇଛି।

ଭୋଟ୍ ଗ୍ରହଣକୁ ଆଉ ମାତ୍ର ୨୦ ଦିନ ହାତରେ ଥିବା ବେଳେ ପିପିଲିରେ ରାଜନୈତିକ ଗତିବିଧି ତେଜିବାରେ ଲାଗିଛି। ଲଢ଼େଇରେ କଂଗ୍ରେସ ଏକ୍‌ଦମ୍ ପଛରେ ପଡ଼ିଥିବା ବେଳେ ବିଜେଡିଠୁ ଗଡ଼ ଛଡାଇ ଆଣିବା ପ୍ରୟାସରେ ବିଜେପି। ତେବେ ଚର୍ଚ୍ଚା ହେଉଥିବା ମହାରଥୀ ପରିବାରର ଅସନ୍ତୋଷକୁ ପ୍ରସମିତ କରି ଗଡ଼ ବଜାୟ ରଖିବାକୁ ବିଜେଡି କିଭଳି ରଣନୀତି ଆପଣାଉଛି ଏବେ ତା ଉପରେ ନଜର।

You might also like