ମାଟି ତଳୁ ୧୫ଶହ ବର୍ଷ ପୁରୁଣା ଶିବ ଲିଙ୍ଗ ଉଦ୍ଧାର

ଓଡିଶା ଓ ଝାରଖଣ୍ଡ ସୀମାରୁ ମିଳିଲା ପୁରୁଣା ମନ୍ଦିରର ଭଗ୍ନାଂଶ, ପିକନିକ ଋତୁରେ ଚଳଚଞ୍ଚଳ ହଇପଡିଛି ବେନିସାଗର

କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମାଟି ତଳୁ ଉଦ୍ଧାର ହେଲା ୧୫ ଶହ ବର୍ଷର ପୁରୁଣା ଶିବଲିଙ୍ଗ । ଶାଳ ଜଙ୍ଗଲ ସଫା କରୁ କରୁ ମାଟି ତଳୁ କିଛି ଦିନ ତଳେ ଉଦ୍ଧାର ହୋଇଛି ଏହି ପୁରୁଣା ମନ୍ଦିରର  ଭଗ୍ନାଂଶ । ଏହା ୧୫ ଶହ ବର୍ଷ ପୁରୁଣା ବୋଲି ଅନୁମାନ କରୁଛି ପ୍ରତ୍ନତତ୍ତ୍ୱ ବିଭାଗ । ତେବେ ଏଠାର ପ୍ରାକୃତିକ ପରିବେଶ ସାଙ୍ଗକୁ ବଡ଼ ପୁଷ୍କରିଣୀ  ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି । ଏପରି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଓଡିଶା ଓ ଝାରଖଣ୍ଡ ସୀମା ବେନିସାଗାର ଅଞ୍ଚଳରେ । ଘଟଣା ସ୍ଥଳରେ ଲୋକଙ୍କ ସମାଗମ ହେବା ସହ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପ୍ରାଚୀନ ମୂର୍ତ୍ତି ଓ ଶିବଲିଙ୍ଗ ଦେଖିବାକୁ ପର୍ଯ୍ୟଟକ ଉତ୍ସାହିତ ହୋଇ ଦୂରଦୁରାନ୍ତରରୁ ଏଠାକୁ ଛୁଟି ଆସୁଛନ୍ତି ।

ଦୈବୀ ଦୁର୍ବିପାକ ହେଉ କିମ୍ବା ଶତ୍ରୁ ଆକ୍ରମଣ ଦ୍ୱାରା ମନ୍ଦିର ନଷ୍ଟ  ହୋଇଥିବା  ଅନୁମାନ କରାଯାଇଛି । ଖିଚିଂରେ ଥିବା ପୁରାତନ ମୂର୍ତ୍ତି ଗୁଡ଼ିକ ପରି ଅବିକଳ ବେନିସାଗାରରେ ମୂର୍ତ୍ତି ଦେଖିବାକୁ ମିଳିଛି ।  ଖିଚିଂ ମୟୁରଭଞ୍ଜର ରାଜଧାନୀ ଥିବାବେଳେ ବେନିସାଗାରରେ ଏକ ଶୈବ ପୀଠ ଥିଲା । ଆଉ ସେହି ସମୟରୁ ଏହି ସ୍ଥାନର ମହତ୍ତ୍ଵ ରହି ଆସିଛି । ବେନିସାଗାରରେ ବିଭିନ୍ନ ପ୍ରକାର ଦେବା ଦେବୀ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମିଳୁଥିବାରୁ ଭାରତ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ବେନିସାଗାରରେ ଏକ ପୁରାତନ ମୃତ୍ତି ଓ ଅନ୍ୟାନ୍ୟ ଜିନିଷକୁ ନେଇ ଏକ ସଂଗ୍ରହାଳୟ କରାଯାଇଛି ।

ବେନିସାଗର ଏବେ ଝାରଖଣ୍ଡ ରାଜ୍ୟର ହୋଇଥିଲେ ହେଁ ପୂର୍ବରୁ ଏହା ଓଡିଶା ସହ ମଶିକି ଥିଲା । ମୟୂରଭଞ୍ଜ  ଓଡିଶା ସହ ୧୯୪୯ ଜାନୁଆରୀ ୦୧ ରେ ସମ୍ମିଳିତ ହୋଇଥିଲା। ମିଶ୍ରଣ ପୂର୍ବରୁ ବେନିସାଗର ମୟୁରଭଞ୍ଜ ରାଜ୍ୟରେ ଅବସ୍ଥିତ ଥିଲା । ରାଜ୍ୟ ବିଭାଜନ ହେଲା ପରେ ପ୍ରଥମେ ବିହାର ତାପରେ ଝାରଖଣ୍ଡ ରାଜ୍ୟକୁ ସ୍ଥାନାନ୍ତରିତ ହୋଇଗଲା ।  ମୟୁରଭଞ୍ଜ ମହାରାଜା ଖିଚିଂଠାରେ ଥିବା ଶକ୍ତିପୀଠରେ ପୂଜା କରୁଥିବା ବେଳେ ବେନିସାଗାରରେ ଶୈବପୀଠରେ ମଧ୍ୟ ପୂଜାର୍ଚ୍ଚନା କରୁଥିଲେ ।  ସେ ସମୟ ରେ ୧୦୮ ଶିବଲିଙ୍ଗ ଏଠାରେ ପୂଜା ପାଉଥିଲା ବୋଲି ଶୁଣିବାକୁ ମିଳେ । ଏବେ  ଅନେକ ଶିବଲିଙ୍ଗ ଏଠାରୁ ଉଦ୍ଧାର ହେଇଥିବା ବେଳେ ଆହୁରି ଅନେକ ମୂର୍ତ୍ତି ବାହାରିବାର ସମ୍ଭାବନା ଅଛି ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଏବେ ପିକନିକ ଋତୁ ଚାଲିଥିବେ ବେଳେ ଚଳଚଞ୍ଚଳ ହଇପଡିଛି ବେନିସାଗର । ମନଲୋଭା ପରିବେଶକୁ ଉପଭୋଗ କରିବା ସହ ଇତିହାସ ବିଷୟରେ ଜାଣିବା ପାଇଁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ପୁରୁଣା ମନ୍ଦିରର ଭଗ୍ନାଂଶ ମିଳିବା ପରେ ଏଠାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ଜଣାପଡ଼ିଛି ।

You might also like