‘ମତେ ଭୁବନେଶ୍ୱର ମିସ୍ କରୁଛି ଜାଣି ଖୁସି ଲାଗିଲା’- ଅପରାଜିତା

ନିଖୋଜ ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ନିଖୋଜ ହେବା ନେଇ ଭୁବନେଶ୍ୱରରେ ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରବାସୀ ତାଙ୍କ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ସେ ଖୁସି ବୋଲି ଅପରାଜିତା କହିଛନ୍ତି। ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ସେ ଦିଲ୍ଲୀରେ ଅଛନ୍ତି ଓ ଫେବ୍ରୁଆରି ୧୫ରେ ଭୁବନେଶ୍ୱର ଫେରୁଛନ୍ତି ବୋଲି ଅପରାଜିତା କହିଛନ୍ତି।ଏହାସହ ଭୁବନେଶ୍ୱରରେ ପହଞ୍ଚିବା ପରେ ‘ଜାତୀୟ ଐତିହ୍ୟ ପ୍ରାଧିକରଣ’ (ଏନ୍ଏମ୍ଏ) ଉପନିୟମ ଚିଠା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରିବେ ଏବଂ ସେହିସବୁ ସ୍ଥାନ ବୁଲିବା ପରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

ଅପରାଜିତାଙ୍କ ଟ୍ୱିଟ୍

ସେପଟେ ଅପରାଜିତାଙ୍କ ନିଖୋଜ ସଂପର୍କରେ ପୋଷ୍ଟର ଲାଗିବା ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି। ଏଭଳି ଘଟଣାକୁ ନିନ୍ଦା କରିବା ସହ ଏହା ଅସହିଷ୍ଣୁ ଭାବର ପରିଚୟ ବୋଲି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ମହିଳା ସଶକ୍ତିକରଣ କଥା କହୁଥିବା ବିଜେଡିର ଅଧିକାଂଶ ସାଂସଦ, ସଂସଦରେ ଅନୁପସ୍ଥିତ ରହୁଥିବା ସେ ଅଭିଯୋଗ କରିଛନ୍ତି।

ତେବେ କଥା ହେଲା, ଏହି ବିବାଦ ଭିତରକୁ କାହିଁକି ଅପରାଜିତାଙ୍କୁ ଟଣା ଯାଉଛି। ଆସନ୍ତୁ ଜାଣିବା ତା’ର କାରଣ। ପର୍ଯ୍ଯଟନ ସ୍ଥଳୀ ଗୁଡ଼ିକରେ ଥିବା ମନ୍ଦିର ମାନଙ୍କୁ ନେଇ ନିର୍ମାଣ ହେବାକୁ ଥିବା ‘ଐତିହ୍ୟ କରିଡ଼ର’ରେ NMAର ପ୍ରସ୍ତାବିତ ବାଇ-ଲ ଲାଗୁ ନେଇ ଅନେକ ବିବାଦ ଦେଖାଦେଇଛି। ଶ୍ରୀମନ୍ଦିରରେ ଲାଗୁ ହୋଇଥିବା ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରାଯାଇଛି। NMAର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ କହିଛନ୍ତି ଯେ, ସାରା ଭାରତରେ ASIର ନିୟମ ଅନୁସାରେ କୌଣସି ଐତିହ୍ୟସ୍ଥଳର ସୁରକ୍ଷା ପାଇଁ , ୧୦୦, ୨୦୦, ୩୦୦ ମିଟର ପରିଧିକୁ ବିଚାରକୁ ନିଆଯାଏ। ହେଲେ ଓଡ଼ିଶାର ଜଗନ୍ନାଥ ମନ୍ଦିର ଏକ ଜୀବନ୍ତ ଐତିହ୍ୟସ୍ଥଳ ହୋଇଥିବାରୁ ସଂସ୍କୃତି ମନ୍ତ୍ରାଳୟର ପୂର୍ଣ୍ଣ ପ୍ରତିଶ୍ରୁତି ଅନୁସାରେ ଏହା ଲିଭିଂ ମନ୍ୟୁମେଣ୍ଟ ଭାବରେ ହିଁ ରହିବ।

ତେବେ କେବଳ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରତ୍ୟାହୃତ ହୋଇଛି NMAର ପ୍ରସ୍ତାବିତ ବାଇ-ଲ, ଅନ୍ୟ ମନ୍ଦିର ପାଇଁ ନୁହେଁ। ଅର୍ଥାତ୍ ଏକାମ୍ର କ୍ଷେତ୍ରର ଅନ୍ୟତମ ଦୁଇ ପୁରାତନ ମନ୍ଦିର ‘ଅନନ୍ତ ବାସୁଦେବ’ ଏବଂ ‘ବ୍ରହ୍ମେଶ୍ୱର ମନ୍ଦିର’ ପାଇଁ ଅଧିନିୟମ ପୂର୍ବଭଳି କାଏମ୍ ରହିବ। ଶ୍ରୀମନ୍ଦିର ପାଇଁ NMAର ପ୍ରସ୍ତାବିତ ‘ଚିଠା ଅଧିନିୟମ’ ପ୍ରତ୍ୟାହାର ସମ୍ପର୍କରେ ଘୋଷଣା ଅବସରରେ, ଗତକାଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଏହା ସ୍ପଷ୍ଟ କରିଥିଲେ। ତାସହ ଏକାମ୍ର କ୍ଷେତ୍ରରେ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପରିବର୍ତ୍ତେ ରାଜ୍ୟ ସରକାର ସେଠି ଜେସିବି ମେସିନ୍ ଲଗାଇ ଖନନ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ତେବେ ଏଇଠି ହିଁ ରହିଛି ବିବାଦ। କିଛି ରାଜନୈତିକ ବିରୋଧୀ, ଏଥିସହିତ ଅପରାଜିତାଙ୍କୁ ଯୋଡ଼ିଛନ୍ତି। ଏହି ବାଇ-ଲ ଏକାମ୍ର କ୍ଷେତ୍ରରେ ଲାଗୁ କରି ଏଠାକାର ଐତିହ୍ଯ ଗୁଡ଼ିକୁ ନଷ୍ଟ କରିବାକୁ ଯୋଜନା ହୋଇଛି ବୋଲି ସେମାନେ ପୋଷ୍ଟରରେ ଲେଖିଛନ୍ତି। ଆଉ କହିଛନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କାହିଁକି ଏ ସଂପର୍କରେ ମୁହଁ ଖୋଲୁନାହାଁନ୍ତି? ଏ ସଂପର୍କରେ ପୋଷ୍ଟର କିଛି ଜାଗାରେ ମରାଯାଇଛି।

ତେବେ ଅପରାଜିତା ଏହାର ସୁନ୍ଦର ଉତ୍ତର ଦେଇଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ସଂସଦ ଅଧିବେଶନ ପାଇଁ ସେ ଦିଲ୍ଲୀରେ ଅଛନ୍ତି, ତେଣୁ ଆସିପାରୁ ନାହାଁନ୍ତି। କିନ୍ତୁ ଭୁବନେଶ୍ୱର ମତେ ଏତେ ମିସ୍ କରୁଛି ତାହା ଜାଣି ଖୁସି ଲାଗୁଛି। ଏବେ ବାକି ରହିଲା, ଅପରାଜିତାଙ୍କର ଏହି ଉତ୍ତର ସଂପର୍କରେ ପୋଷ୍ଟର ମାରିଥିବା ବିରୋଧୀ କେମିତି ପ୍ରତିକ୍ରିୟା ରଖୁଛନ୍ତି।

 

You might also like