‘ଟିକା ଦର ଅଧିକ ରହିଛି, ଦର ସମାନ ହେବା ଉଚିତ୍‌’

ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ନୂଆ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହୁଛି। ଏହାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ମେ’ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବର୍ଗର ଲୋକଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ମେ’ ୧ ତାରିଖରୁ ଏବେ ଘରୋଇ ହସ୍ପିଟାଲ ଗୁଡ଼ିକରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିକା ଦରକୁ ନେଇ ଘରୋଇ ହସ୍ପିଟାଲ ସଂଘର ସମ୍ପାଦକ ଇନ୍ଦ୍ରମଣି ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟିକା ଦର ଅଧିକ ରହିଛି। ତେଣୁ ଦର ସମାନ ହେବା ଉଚିତ୍‌। କୋଭିସିଲଡ୍‌ ଟିକା ଯାହାର ଦାମ ୬୦୦ ଟଙ୍କା ରହିଛି, ତାହା ୭୦୦ କିମ୍ବା ୭୫୦ ଟଙ୍କା ପଡ଼ିବ। ଏହାସହ ୧,୨୦୦ ଟଙ୍କା ଦର ଥିବା କୋଭାକ୍ସିନ୍ ଟିକା ୧,୩୦୦ କିମ୍ବା ୧,୩୫୦ ଟଙ୍କା ପଡ଼ିବ। ଏହା ସହ ୧,୨୦୦ ଟଙ୍କା ଦର ଥିବା କୋଭାକ୍ସିନ୍ ଟିକା ୧୩୦୦ କିମ୍ବା ୧,୩୫୦ ଟଙ୍କା ପଡ଼ିବ।

ସେ ଆହୁରି କହିଛନ୍ତି, ସରକାରୀ ଦର ଘରୋଇ ଦର ଅପେକ୍ଷା କମ୍‌ ଅଛି। ତେଣୁ ଲୋକମାନେ ଚାହିଁବେ ବିଳମ୍ବ ହେଉ ପଛେ ସରକାରୀ ହସ୍ପିଟାଲରେ ଟିକା ନେବେ। କେତେ ଲୋକ ଟିକା ନେବେ ପୂର୍ବରୁ ଆମକୁ ଜଣାଯିବା ପରେ ହିଁ ଟିକା ଅଣାଯିବ ବୋଲି ଘରୋଇ ହସ୍ପିଟାଲ ସଂଘର ସମ୍ପାଦକ କହିଛନ୍ତି। ୨୦ ଟିକିଆ ଭାଇଲ୍ ଯୋଗୁ ୨୦ ଜଣ ଏକାଠି ହେଲେ ହିଁ ଆମେ ଟିକା ଦେବୁ ବୋଲି ସେ ଦୋହରାଇଛନ୍ତି। ତେଣୁ ସିଙ୍ଗଲ ଡୋଜ୍ ବା ଆମ୍ପୁଲ ଟିକା ଆସିଲେ ଭଲ ହେବ ବୋଲି କହି ମତ ରଖିଛନ୍ତି ଘରୋଇ ହସ୍ପିଟାଲ ସଂଘର ସମ୍ପାଦକ ଇନ୍ଦ୍ରମଣି ଜେନା। 

ସେପଟେ ଟିକା ଦାମ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଛି। ଟିକା ଦର ଚିନ୍ତାଜନକ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, କୋଭିସିଲ୍ଡଠାରୁ କୋଭାକ୍ସିନ୍ ଦାମ୍ କମ୍ ହେବ ବୋଲି ଆଶା ଥିଲା। କିନ୍ତୁ ଦାମ୍‌ ଅଧିକ ରହିଛି। ରାଜ୍ୟ ଉପରେ ଏହା ଅଧିକ ପ୍ରଭାବ ପଡ଼ିବ।

ରାଜ୍ୟମାନେ ଭ୍ୟାକ୍‌ସିନ୍‌ କିଣିବାରେ ଏତେ ଟଙ୍କା ଖର୍ଚ୍ଚ କଲେ ଅନ୍ୟ ଭିତ୍ତିଭୂମି କିଭଳି ସଜାଡ଼ିବେ ବୋଲି ଅମର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ବିଜେପି ପ୍ରତିକ୍ରୟା ରଖି ସାଂସଦଙ୍କ ବୟାନକୁ ସମାଲୋଚନା କରିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆଜି ପର୍ଯ୍ୟନ୍ତ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର। ଏହା ସହ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ଟିକାକୁ ମାଗଣା କରନ୍ତୁ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩,୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ କେସ୍‌ ଚିହ୍ନଟ ହୋଇଛନ୍ତି।

You might also like