ନୟାଗଡ଼ ପରେ ନୀଳଗିରିରେ ବଳିପଡ଼ିଲା ଆଉ ଜଣେ କଅଁଳ କଢ଼ି

ଭୁବନେଶ୍ୱର: ନୟାଗଡ଼ ପରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ବଳିପଡ଼ିଲା ଆଉ ଜଣେ କଅଁଳ କଢ଼ି। ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ଇଟାଭାଟିରେ ୧୨ ବର୍ଷର ଟିକି ଝିଅକୁ ବିଷ ଦେଇ ମାରି ଦେଇଥିବାର ଆସିଛି ଚାଞ୍ଚଲ୍ୟକର ଅଭିଯୋଗ। କୁହାଯାଉଛି ଦୁଷ୍କର୍ମ କରି ହତ୍ୟା କରାଯାଇଛି। ଦୁଷ୍କର୍ମ କଥାକୁ ବାପା, ମା ଓ ପୋଲିସ ଅସ୍ୱୀକାର କରୁଥିବାବେଳେ ଇଟାଭାଟି ମାଲିକକୁ ଧରି ତଦନ୍ତ କରୁଛି ପୋଲିସ୍। କାରଣ କୁନି ଝିଅଟିକୁ ବେଆଇନ ଭାବେ ନିଯୁକ୍ତ କରାଯାଇଥିଲା ଏହି ଇଟାଭାଟିରେ। ଏହି ଘଟଣା ପରେ ନିଦ ଭାଙ୍ଗିବାରୁ ବେଆଇନ ଇଟାଭାଟି ଉପରେ ଚଢ଼ାଉ କରିଛି ଜିଲ୍ଲା ପ୍ରଶାସନ।

ନୟାଗଡ଼ର ଟିକି ଝିଅ ପରୀ ହତ୍ୟାର କମ୍ପନ ଭିତରେ ଆଉ ଏକ ଚାଞ୍ଚଲ୍ୟକର ଅଭିଯୋଗ। ବଳିପଡ଼ିଛି ଆଉ ଏକ କଅଁଳ କଢ଼ି। ଦୁନିଆକୁ ଚିହ୍ନିବା ଆଗରୁ ନିଶ୍ଚିହ୍ନ ହୋଇଯାଇଛି ଆଉ ଏକ ପରୀଟିଏ। ମାତ୍ର ୧୨ ବର୍ଷର କୁନି ଝିଅଟି ପ୍ରାଣ ହରାଇଛି ବିଷକ୍ରିୟାରୁ।

ଇଟାଭାଟିର ଧୂଳିଧୂଆଁ ଭିତରେ ସଂଘର୍ଷ କରୁ କରୁ ତାସହ ଘଟିଯାଇଥିବା ଜଘନ୍ୟକାଣ୍ଡରୁ ଉଡ଼ିଯାଇଛି ତା ପ୍ରାଣବାୟୁ। ବାଲେଶ୍ୱର ଜିଲ୍ଲା ନୀଳଗିରି ଜଡ଼ିବାଲି ଅଞ୍ଚଳର ଏ ହେଉଛି ସେହି ଜୟଦୁର୍ଗା ଇଟାଭାଟି। ବାପା, ମାଙ୍କ ସହ ଏହି ଇଟାଭାଟିରେ କାମ କରୁଥିଲା ଏହି ଝିଅଟି। ହେଲେ ଗତକାଲି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନୀଳଗିରି ଓ ପରେ ଭର୍ତ୍ତି କରାଯାଇଥିଲା ବାଲେଶ୍ୱର ମେଡ଼ିକାଲ୍‌ରେ କିନ୍ତୁ ପ୍ରବଳ ବିଷକ୍ରିୟା ଯୋଗୁ ସଙ୍କଟଜନକ ଅବସ୍ଥାରେ ଥିବା ଝିଅଟିକୁ ବଞ୍ଚାଇ ହେଲାନି।

 ଏଠି ପ୍ରଶ୍ନ ଉଠୁଛି, ଏହି ନାବାଳିକାଟି ନିଜେ ବିଷ ପିଇଲା ନା ତାକୁ କିଏ ବିଷ ପିଆଇଦେଲା? ଏହି ଅଘଟଣ ପଛର ଅସଲ କାରଣ କଣ? କେହି ତାକୁ ଦୁଷ୍କର୍ମ କରି ହତ୍ୟା କରିନାହାଁନ୍ତି ତ? ଝିଅଟିର ଦାଦା ଏଭଳି ଆଶଙ୍କା କରି ଥାନାରେ ଏତଲା ଦେଇଥିବାବେଳେ ଦୁଷ୍କର୍ମ କଥାକୁ କିନ୍ତୁ ବାପା, ମା ଖଣ୍ଡନ କରିଥିବା କହିଛି ପୋଲିସ୍‌। ସେପଟେ ପୋଲିସ ନାବାଳିକାକୁ ଇଟାଭାଟିରେ ରଖି କାମ କରାଉଥିବା ଅଭିଯୋଗରେ ଇଟାଭାଟି ମାଲିକ ଲୁଲୁ ବେହେରାଙ୍କୁ ଜେରା କରୁଛି।

ବାଲେଶ୍ୱର ଜିଲ୍ଲାରେ ଚାଲୁଛି ଶହଶହ ବେଆଇନ ଇଟାଭାଟି। ପ୍ରଶାସନ ଆଖିରେ ଅଙ୍ଗୁଳି ଗେଞ୍ଜି ଜିଲ୍ଲାବ୍ୟାପି କାୟା ମେଲାଇଛନ୍ତି ଇଟାଭାଟି ମାଫିଆ। କେଉଁଠି ପରିବେଶ ପ୍ରଦୂଷଣ ନିୟମକୁ ଜଳାଞ୍ଜଳି ଦେଇ ତ ଆଉ କେଉଁଠି ଶିଶୁ ଶ୍ରମିକଙ୍କୁ କାମରେ ଲଗାଇ ମାଲାମାଲ ହେଉଛନ୍ତି ମାଲିକ।  ଅଥଚ ଧର୍ମକୁ ଆଖିଠାର ଭଳି କାଁ ଭାଁ ଚଢ଼ାଉ କରି ନୀରବି ଯାଉଛି ପ୍ରଶାସନ। ଆଉ ତାର ପରିଣାମ ସ୍ୱରୂପ ଆଜି କୁନି ଝିଅଟିଏ ବଳି ପଡ଼ିଛି ଇଟାଭାଟିରେ। ଏହି ଘଟଣା ପରେ ଶ୍ରମ ବିଭାଗ ଅଧିକାରୀ ଇଟାଭାଟିଗୁଡ଼ିକରେ ଚଢ଼ାଉ କରିବା ସହ ଘଟଣାର ଖୋଳତାଡ଼ କରୁଛନ୍ତି।

You might also like