ସବୁ କଟକଣା ଫେଲ୍‌; ପୁଣି ବିଧାନସଭା ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହାକୁ ରୋକିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ହେଲେ ଏହାକୁ ରୋକିପାରୁ ନାହିଁ। ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ଏପରି ଉଦ୍ୟମକୁ ରୋକିବା ପାଇଁ ପୋଲିସ ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ଗାଡ଼ିମୋଟର ଚଳାଚଳ ନେଇ କଟକଟା କରିଥିଲା। ତଥାପି ଆତ୍ମହୁତି ରୋକିବାରେ ବିଫଳ ହୋଇଛି। ଆଜି କିଛି ଘଣ୍ଟା ପୂର୍ବରୁ  ପୁଣି ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ କିରଛନ୍ତି।

ବିଧାନସଭା ନିକଟ ଜୟଦେବ ଭବନ ସାମ୍ନାରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରୁଥିଲେ । ଦେହରେ ପେଟ୍ରୋଲ ଢାଳିବାବେଳେ କାବୁ କରି ନେଇଛି ପୋଲିସ। ତେବେ ମହିଳା ଜଣକ କିଏ ଏବଂ କାହିଁକି ଏମିତି କରୁଥିଲେ ଜଣାପଡ଼ିନି । ତେବେ ମହିଳା ଜଣକ ଜଗତ୍‌ସିଂହପୁର କୁଜଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାଥାଉ କି, ଗତକାଲି କାଲି ମଧ୍ୟ ଜଣେ ବ୍ୟକ୍ତି ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

ଏଠି କହିରଖିବୁ, ନୟାଗଡ ନାବାଳିକା ହତ୍ୟା ଘଟଣାରେ ନ୍ୟାୟ ନ ପାଇ ତାଙ୍କର ବାପା-ମା’ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ଘଟଣା ପଦାକୁ ଆସିଥିଲା। ଏ‍‍‍ହି ନାବାଳିକା ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ଏହାପରେ ନଭେମ୍ବର ୨୭ ତାରିଖରେ ଆଠଗଡ଼ ଅଞ୍ଚଳର ୩ ଜଣ ଚାଷୀ ବିଧାନସଭା ସମ୍ମୁଖରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ପୁଅ ହତ୍ୟାର ନ୍ୟାୟ ପାଇବା ପାଇଁ ଜଗତସିଂହପୁରରୁ ଆସି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ।

ରାଜ୍ୟରୁ ଯେଉଁମାନେ ନ୍ୟାୟ ପାଇବା ପାଇଁ ଅପେକ୍ଷା କରୁଛନ୍ତି, ଆଉ ଶେଷରେ ପାଉନାହାନ୍ତି, ସେମାନେ ଅତିଷ୍ଠ ହୋଇ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରୁଛନ୍ତି। ଏହାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା।।

ବଜେଟ ଅଧିବେଶନ ଚାଲିଥିବାବେଳେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ  ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।  ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାରେ ଗାଡି ଚଳାଚଳ ନେଇ କଟକଣା ଜାରି କରାଯାଇଥିଲା।

କଟକଣା ଆଜିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସ ଗୁଡ଼ିକରେ ଲାଗୁ ହେବ । ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମରୁ ନିବୃତ୍ତ ରହିବାକୁ ଲୋକଙ୍କୁ ପୋଲିସ୍ କମିଶନର ଅପିଲ୍ କରିଛନ୍ତି । ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ପୋଲିସ ଡିଜି ଅଭୟ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ଏପରିକି ଗୁଇନ୍ଦା ବିଭାଗର କର୍ମଚାରୀଙ୍କୁ ସାଦା ପୋଷାକରେ ମୁତୟନ କରାଯାଇଥିଲା । ସମସ୍ତ କଟକଣା ସତ୍ତ୍ୱେ ଆତ୍ମହତ୍ୟା ଉଦ୍ୟମକୁ ରୋକି ପାରୁନି ପୋଲିସ।

ଏହି ଘଟଣା ପରେ  ଭୁବନେଶ୍ୱର ଡିସିପି କହିଛନ୍ତି, ବିଧାନସଭା ସାମ୍ନାରେ ୨ ଦିନରେ ୩ ଜଣଙ୍କ ଆତ୍ମାହୁତି ଉଦ୍ୟମ କଲେଣି।  ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପଛରେ କିଛି ଲୋକ ଥିବା ସନ୍ଦେହ କରୁଛୁ।  ଆତ୍ମାହୁତି ଉଦ୍ୟମ ଏକ ଅପରାଧିକ କାର୍ଯ୍ୟ। ସେ ହିସାବରେ ପୋଲିସ ଟ୍ରିଟ୍ କରିବ ବୋଲି କହିଛନ୍ତି ଡିସିପି।

ଅନ୍ୟପକ୍ଷେ ଏଭଳି କରିବା ପାଇଁ ଯିଏ ପ୍ରରୋଚିତ କରିଛି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ। ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରରୋଚନା ଦେଉଥିବା ଲୋକଙ୍କୁ ଖୋଜାଯିବ। ଏଭଳି କଲେ ମାମଲାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

You might also like