ରଙ୍ଗିଲା ଜେଲର୍‌ଙ୍କ ଆଉ ଏକ କାରନାମା

ଭୁବନେଶ୍ୱର: ଏକାଧିକ ଯୁବତୀ ଏବଂ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ଭଦ୍ରକ ଜେଲର୍ ଚିନ୍ମୟ ପାତ୍ର। ଜଣଙ୍କ ପରେ ଜଣେ ମହିଳା ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କିଛି ଦିନ ତଳେ ଜଣେ ଇଂଜିନିୟରିଂ ଛାତ୍ରୀ ଚିନ୍ମୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏବେ ଅାଉ ଜଣେ ବିବାହିତା ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳ ଏହି ମହିଳାଙ୍କ ସହ ପ୍ରଥମେ ରଙ୍ଗ୍‌ ନମ୍ବରରୁ କଲ୍, ପରେ ପ୍ରେମ ନିବେଦନ ଆଉ ମିଥ୍ୟା ପ୍ରଲୋଭନ ଦେଖାଇ ଚିନ୍ମୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଜୁନ୍‌ ୧ ତାରିଖ ରାତି ୮ଟାରେ ଚିନ୍ମୟ ଯୁବତୀଜଣଙ୍କୁ କାର୍‌ରେ ବସାଇ ବଡ଼ବିଲ୍‌ ଷ୍ଟେସନ୍‌ ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ସହିତ ଦୁଷ୍କର୍ମ କରିଥିଲେ। ପରେ ସେହି ଶୂନ୍‌ଶାନ୍‌ ଜାଗାରେ ଯୁବତୀଙ୍କୁ ଛାଡ଼ି ପଳାଇ ଯାଇଥିଲେ ଚିନ୍ମୟ। ଗଲାବେଳେ ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ନେଇ ଯାଇଥିଲେ। ଏ ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଚିନ୍ମୟ ଧମକ ମଧ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।

ପ୍ରଥମେ ଘଟଣାକୁ ନିଜ ଭିତରେ ଚାପି ରଖିଥିଲେ ଏହି ଯୁବତୀ। ପରେ ସମୟ ଦେଖି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଚିନ୍ମୟ ଜେଲର୍‌ ଅଛନ୍ତି ବୋଲି ଜାଣିବା ପରେ ପରିବାର ଲୋକେ ମଧ୍ୟ ଡରି ଯାଇଥିଲେ। ତେଣୁ ଥାନାରେ ଅଭିଯୋଗ ନକରିବା ପାଇଁ ଝିଅକୁ କହିଥିଲେ।

ଚିନ୍ମୟଙ୍କ ବିରୋଧରେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ଆଣିଥିବା ଅଭିଯୋଗର ଖବର ପ୍ରସାରଣ ହେବା ପରେ, ଆଜି ବଡ଼ବିଲ୍‌ର ଏହି ଯୁବତୀ ମହିଳା କମିଶନଙ୍କ ପାଖରେ ଅଭିଯୋଗ କରିବାକୁ ଆସିଥିଲେ।

ଭଦ୍ରକ ଜେଲ୍‌ରଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସାଂଘାତିକ ଅଭିଯୋଗ ଆଣିଥିଲେ ଇଂଜିନିୟରିଂ ଛାତ୍ରୀ। ଜେଲର୍ ଚିନ୍ମୟ ପାତ୍ର ତାଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିବାହ କରି ପ୍ରତାରଣା କରିଥିବା ଅଭିଯୋଗ କରିଥିଲେ ଯୁବତୀ। ତେବେ ଜେଲ୍ ଏଡିଜି କହିଛନ୍ତି, ସଂପୃକ୍ତ ଜେଲ୍‌ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଗତ ୨୯ ତାରିଖରୁ ସଂପୃକ୍ତ ଜେଲର୍ ଚିନ୍ମୟ ଛୁଟିରେ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like