ନାବାଳିକା ଅସଦାଚରଣ ଓ ଆତ୍ମହତ୍ୟା ଘଟଣା; ଆଉ ଜଣେ ପୁଲିସ କର୍ମୀ ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳରେ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ଆଉ ଜଣେ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ତତ୍କାଳୀନ ଭାପୁର ଫାଣ୍ଡି ଅଧତ୍କାରୀ ପ୍ରଶାନ୍ତ ପଢ଼ିଆରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପ୍ରଶାନ୍ତଙ୍କ ନିଲମ୍ବନ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

ଗତକାଲି ଏହି ଘଟଣାରେ ଭାପୁର ଫାଣ୍ଡିର ବର୍ତ୍ତମାନର ASI ପଦ୍ମନାଭ ସାହୁଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା।

ଏପଟେ ପୀଡ଼ିତାଙ୍କ ପରିବାରକୁ ଭେଟିଛି ବିଜେପିର ଏକ ଟିମ୍‌। ବରିଷ୍ଠ ନେତା ରୁଦ୍ର ପାଣିଙ୍କ ନେତୃତ୍ୱରେ ହି ଟିମ୍‌ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୬ ତାରିଖରେ ଜଣେ ଯୁବକ ପାଣି ପିଇବା ବାହାନାରେ ଘରେ ଏକୁଟିଆ ଥିବା ନାବାଳିକାକୁ ଅସଦାଚରଣ କରିଥିଲେ। ଏନେଇ ପରିବାର ଲୋକେ ଫାଣ୍ଡିରେ ଏତଲା ବି ଦେଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରିଥିଲା। ମାନସିକ ଅଶାନ୍ତିରୁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ଗତକାଲି ଏହି ଘଟଣାରେ ଓଡ଼ିଶା ପୋଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଓଡ଼ିଶା ପୋଲିସ୍‌କୁ ଟାର୍ଗେଟ୍ କରି ଲେଖାଶ୍ରୀ ଟ୍ୱିଟ୍ କରିଥିଲେ ଯେ ରାଜ୍ୟରେ ମହିଳା ଓ ଶିଶୁଙ୍କୁ ଦୁଷ୍କର୍ମ, ହତ୍ୟା, ଆତ୍ମହତ୍ୟାର ସିରିଜ୍ ଘଟଣା ଘଟୁଛି। ଏତେସବୁ ଘଟଣା ପରେ ବି ପୋଲିସ୍‌ର ବିବେକ ତାଙ୍କୁ ଜାଗ୍ରତ କରୁନି। DGP ଖାଲି କ୍ଷମା ମାଗି ଚୁପ୍ ବସିଗଲେ ଚଳିବନି, ଦାୟିତ୍ୱ ନେଇ ଘର ସଜାଡ଼ନ୍ତୁ ବୋଲି ଲେଖାଶ୍ରୀ ଟ୍ୱିଟ୍ କରିଥିଲେ। ତେବେ ଆଜି ବିଜେପି ଟିମ୍‌ ପୀଡ଼ିତାଙ୍କ ପରିବାରକୁ ଭେଟିଛି।

You might also like