ଖୋଲିଛି କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ !

ଭୁବନେଶ୍ୱର: କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ ଖୋଲିଛି। ସୂଚନା ଅଧିକାର ଆଇନ୍ ବଳରେ ପଦାକୁ ଆସିଛି ସରକାରୀ ଜମି ଜବରଦଖଲର ଆଉ ବିରାଟ ଏକ କାରସାଦି। ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ପ୍ରାୟ ୧୧ ଏକର ଜମିକୁ କିଟ୍ କର୍ତ୍ତୃପକ୍ଷ ମାଡି ବସିଛନ୍ତି। କେବଳ ଜମିକୁ ନିଜ ଅକ୍ତିଆରରେ ରଖିନାହାନ୍ତି, କେଉଁଠି ବହୁମୂଖୀ ଅଟ୍ଟାଳିକା ତ ଆଉ କେଉଁଠି ଷ୍ଟାଡିୟମ ବି ନିର୍ମାଣ କରି ସାରିଲେଣି।

ସାଧାରଣ ପ୍ରସାଶନ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ଲଟ ନଂ ୩୪୭ରେ ଥିବା ଅଢେଇ ଏକର ଜମିକୁ ମାଡି ବସି କିଟ୍ କର୍ତ୍ତୃପକ୍ଷ ତାଉପରେ ଏକ ବହୁତଳ ଅଟ୍ଟାଳିକା ନିର୍ମାଣ କରିଛନ୍ତି। ସେହିପରି ଖାତା ନଂ ୪୯୧ ଓ ୪୯୩ ଅନ୍ତର୍ଗତ ପ୍ଲଟ ନଂ ୩୧୮, ୩୧୯,୩୨୦, ଏମିତି ମୋଟ୍ ୬ ଏକର ୯୩୦ ଡିସିମିଲ ଜମିକୁ ଜବରଦଖଲ କରି ଖେଳ ପଡିଆ ଭାବେ କିଟ୍ ବ୍ୟବହାର କରୁଛି।

ଅନ୍ୟପକ୍ଷରେ ପ୍ଲଟ ନଂ ୪୧୨ର ୧ ଏକର ୫୫୦ ଡିସିମିଲ ଏବଂ ପ୍ଲଟ ନଂ ୩୫୦ ଓ ୪୦୭ର ପ୍ରାୟ ଅଧ ଏକର ଜମିକୁ ପାଚେରି ଉଠାଇ କିଟ୍ ନିଜ କବଜାରେ ରଖିଛି। ଏମିତି ପ୍ରାୟ ୧୧ ଏକର ସରକାରୀ ଜମିକୁ କିଟ୍ ଜବରଦଖଲ କରିଥିବା, ୨୦୧୩ ମସିହାରେ ସ୍ଥାନୀୟ ଆରଆଇ ସାଧାରଣ ପ୍ରସାଶନ ବିଭାଗକୁ ରିପୋର୍ଟ ଦେଇଥିଲେ।

ଜିଏ ବିଭାଗର ହାରାହାରି ୧୧ ଏକର ଜମି ଅଚ୍ୟୁତ ସାମନ୍ତ ମାଡ଼ି ବସିଛନ୍ତି। ଜମି ଲିଜ୍‌ରେ ନେବା ପାଇଁ ସେ ବାରମ୍ବାର ଆବେଦନ କରିଛନ୍ତି କିନ୍ତୁ ଜିଏ ବିଭାଗ ଦେଇନି।  ସବୁଠାରୁ ମୂଲ୍ୟବାନ ଜମିକୁ ଅଚ୍ୟୁତ ସାମନ୍ତ ମାଡ଼ିବସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ, ବିନା ବିଡିଏ ସ୍ୱୀକୃତିରେ ଉକ୍ତ ଜମି ଉପରେ ବିରାଟକାୟ ଅଟ୍ଟାଳିକା ନିର୍ମାଣ କରିଛନ୍ତି।
-ପ୍ରଦୀପ ପ୍ରଧାନ,ସୂଚନା ଅଧିକାର କର୍ମୀ

ଖାତା ନଂ ୪୯୧ ଓ ୪୯୩ରେ ଥିବା ଜମିର ଜବରଦଖଲକୁ ନେଇ ଓପିପି କେଶ ହେବା ସହ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା। ଆରଆଇ, ସାଧାରଣ ପ୍ରଶାସନକୁୁ ଦେଇଥିବା ରିପୋର୍ଟରେ ବି ଏକଥା ଉଲ୍ଲେଖ କରିଥିଲେ। ହେଲେ ବିଡମ୍ବନା, କାର୍ଯ୍ୟାନୁଷ୍ଠାନ ନେବେ କଣ, ଜବରଦଖଲ ଜମିକୁ କିଟ୍‌କୁ ଆଲର୍ଟ କରିବା ଲାଗି ସାଧାରଣ ପ୍ରଶାସନ ବିଭାଗ ପାଲଟା ଆରଆଇଙ୍କୁ ନିର୍ଦ୍ଦେଶ ଦେଇଛି ମାତ୍ର ଏହି ଆଲର୍ଟମେଣ୍ଟ ପ୍ରକ୍ରିୟା ଏଯାଏଁ ସରିନଥିଲେ ମଧ୍ୟ କିଟ୍ କର୍ତ୍ତୃପକ୍ଷ ଏସବୁ ଜମିକୁ ନିଜ ଅଧୀନରେ ରଖି ବ୍ୟବହାର କରୁଛନ୍ତି।

ଜେନେରାଲ ଆଡମିନଷ୍ଟ୍ରେସନ୍ ଜାଗାକୁ ଏମାନେ ମାଡ଼ି ବସିଲେ। କିଟ୍‌ ଜବରଦସ୍ତି ମାଡ଼ି ବସିଥିବା ନେଇ ଆରଆଇ ରିପୋର୍ଟ ଦେଇଛନ୍ତି। ତାଙ୍କୁ ବେଦଖଲ କରିବା ପରିବର୍ତ୍ତେ ସେଇ ଆରଆଇଙ୍କୁ ଆଲର୍ଟ କରିବା ପାଇଁ କୁହାଗଲା।  
– ସୁଧୀର ମହାନ୍ତି, ଆଇନଜୀବୀ

ଜଙ୍ଗଲ ଜମି, ବରିଷ୍ଠ ନାଗରିକଙ୍କ ଜମି, ନିରୀହ ଆଦିବାସୀଙ୍କ ଜମି ପରେ ଏବେ ସରକାରୀ ଜମି କିଟ୍ କର୍ତ୍ତୃପକ୍ଷ ବେଆଇନ ଭାବେ ଏମିତି ବିପୁଳ ପରିମାଣର ଜମିକୁ ନିଜ ଅଧୀନରେ ରଖିଥିଲେ ମଧ୍ୟ ସାତ୍ ଖୁନ୍ ମାଫ୍। ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା କିଟ୍ ପରିଚାଳିତ ହେଉଥିବାରୁ ଏତେ ଅନୁକମ୍ପା କି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ଏସବୁ ଅଭିଯୋଗ ନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

 ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ
You might also like