ପରୀ ପରେ ଆଉ ଜଣେ ଶିଶୁକନ୍ୟା ଗାଁ ଦାଣ୍ଡରୁ ନିଖୋଜ
ନୟାଗଡ: ନୟାଗଡ ଜିଲ୍ଲାର ପରୀ ହତ୍ୟାର ଦୁଃଖ ମନରୁ ଲିଭିନି। ପୁଣି ଆସିଛି ଏକ ଦୁଃଖଦ ଘଟଣା। ପରୀ ହତ୍ୟାକୁ ନେଇ ରାଜ୍ୟ ରାଜନୀତି କମ୍ପୁଥିବାବେଳେ ପୁଣି ନୟାଗଡ଼ରେ ନିଖୋଜ ହୋଇ ଯାଇଛି ଆଉ ଜଣେ ଶିଶୁକନ୍ୟା । ଶିଶୁକନ୍ୟା ନିଖୋଜ ହୋଇଥିବା ନେଇ ରାଜସୁନାଖଳା ଫାଣ୍ଡି ଥାନାରେ ଏତଲା ଦିଆଯାଇଛି ।
ଘଟଣା ଘଟିଛି ରଣପୁର ବ୍ଲକ ଦଧତ୍ପାଟଣାରେ। ଗତକାଲି ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର କୁନି ଝିଅଟିଏ । ହେଲେ ସେଇ ଦାଣ୍ଡରୁ ନିଖୋଜ ହୋଇଯାଇଥିଲା ଝିଅ। ଦୀର୍ଘ ସମୟ ପରେ ବି ଝିଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ପତା ପାଇ ନ ଥିଲେ। ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଉଭୟ ରଣପୁର ଓ ରାଜସୁନାଖଳା ପୋଲିସ ୨ଟି ଟିମ ଗଠନ କରି ଶିଶୁ କନ୍ୟାର ସନ୍ଧାନ କରିଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଖୋଜାଖୋଜି କରାଯାଇଥିଲା।
ହେଲେ କୌଣସି ପତ୍ତା ମିଳି ନ ଥିଲା। ଶେଷରେ ଆଜି ରଣପୁର ଦମକଳ ବାହିନୀ ଗାଁ ରେ ପହଁଞ୍ଚି ପୋଖରୀ,କୂପ ଆଦି ଖୋଜା ଖୋଜି ଚଳାଇଛନ୍ତି । ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଭୟର ବାତାବରଣ ଖେଳି ଯାଇଛି।
କାରଣ ଏହି ଜିଲ୍ଲାରୁ ଗାଁ ଦାଣ୍ଡରୁ ନିଖୋଜ ହୋଇ ଯାଇଥିଲା ପରୀ। ପରେ ତାହାର ଶବ ଘର ପଛପଟୁ ମିଳିଥିଲା। ପରୀର ଶରୀରରୁ ଅଙ୍ଗ କଟା ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ପରେ ପୁଣି ଜଣେ ଶିଶୁ କନ୍ୟା ନଖୋଜ ହେବା ଜିଲ୍ଲା ପୋଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି।
ସୂଚନାଥାଉ କି, ରାଜ୍ୟରେ ଶିଶୁ ନିଖୋଜ ହାର ଦିନକୁ ଦିନ ବଢିବାରେ ଲାଗିଛି। ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟରେ ରହିଛି। ଏ ନେଇ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ NCRB ଯେଉଁ ତଥ୍ୟ ଦେଇ ଆଖି ଖୋସି ହୋଇଗଲା ଭଳି। ଏଭଳି ଅପରାଧରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ତଳକୁ ତୃତୀୟରେ ରହିଛି ଓଡ଼ିଶା । NCRBର ତଥ୍ୟ କହୁଛି ଓଡ଼ିଶାରେ ପ୍ରତି ୨୪ ଘଣ୍ଟାରେ ଅପହୃତ ହେଉଛନ୍ତି ୧୨ ଜଣ ଶିଶୁ । ଯାହାଙ୍କ ମଧ୍ୟରୁ କେବଳ ଝିଅଙ୍କ ସଂଖ୍ୟା ୧୧ ।
ଗଲାବର୍ଷ ନିଖୋଜ ହୋଇଛନ୍ତି ୪୩୧୫ ଜଣ। ହେଲେ ପ୍ରତି ୫ଜଣରେ ମାତ୍ର ଜଣକୁ ଉଦ୍ଧାର କରିବାରେ ସଫଳ ହେଉଛି ଆମ ବ୍ୟବସ୍ଥା । ଶିଶୁ ଚୋରୀର ଏକମାତ୍ର କାରଣ ଦାରିଦ୍ର୍ୟ ନୁହେଁ। ଅଙ୍ଗଚାଲାଣ, ଶ୍ରମିକ ଭାବେ ନିୟୋଜନ, ଯୌନକର୍ମୀ ଭାବେ ବ୍ୟବହାର ସାଙ୍ଗକୁ ଅସାମାଜିକ କାର୍ଯ୍ୟରେ ପିଲାଙ୍କୁ ଲଗାଯାଉଛି । ତେଣୁ ଏହାକୁ ରୋକିବାକୁ ୨୦୧୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶିଶୁ ଚୋରି ଘଟଣାକୁ ଅପରହଣ ମାମଲା ଭାବେ ଗ୍ରହଣ କରାଯିବା ଉଚିତ୍ । ଯାହାଦ୍ୱାରା ଅଭିଯୁକ୍ତଙ୍କୁ ୭ ବର୍ଷରୁ ଅଧିକ ଜେଲଦଣ୍ଡ ମଧ୍ୟ ହୋଇ ପାରିବ । ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କହିଛନ୍ତି, ଓଡ଼ିଶାରେ ଏଭଳି ଘଟଣା ରୋକିବାକୁ ଆୟୋଗ ଖୁବଶୀଘ୍ର ୩ ମାସିଆ ଆସେସମେଣ୍ଟ କରିବେ ।