କଟକରେ ନକଲି ଘିଅ କାରଖାନା ଠାବ! ମାଲିକକୁ ଅଟକ ରଖି ମର୍କତନଗର ପୋଲିସର ପଚରାଉଚରା

ରାଜ୍ୟର ଚାରିଆଡ଼େ ଭେଜାଲ ସାମଗ୍ରୀ ହାଉଜାଉ

କଟକ (ଦେବାଶିଷ ମହାନ୍ତି) : ରାଜ୍ୟର ଚାରିଆଡ଼େ ଭେଜାଲ ସାମଗ୍ରୀ ହାଉଜାଉ। ଯେତେ ଖୋଳିତାଡ଼ କଲେ ସେତେ ବାହାରୁଛି ନକଲି ଖାଦ୍ୟ ସାମଗ୍ରୀ। ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି। ରାଜ୍ୟବାସୀ ଖାଦ୍ୟ ନାଁରେ ଜହର ଖାଇବାକୁ ବାଧ୍ୟ ହେଉଛନ୍ତି। ଯେଉଁ ଜିନିଷରେ ହାତ ମାରିବ ସବୁ ତ ନକଲି, ମଣିଷ ଖାଇବ କ’ଣ ? କେଇଟା ଟଙ୍କା ଲୋଭରେ ଲକ୍ଷ ଲକ୍ଷ ଲୋକଙ୍କୁ ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରି ମରଣ ମୁହଁକୁ ଠେଲି ଦେଉଛନ୍ତି କିଛି ଅସାମାଜିକ ବ୍ୟକ୍ତି। ଏପରି ଖାଦ୍ୟ ଖାଇ ମଣିଷ ନିରୋଗ ରହିବ କ’ଣ ଅଜାଣତରେ ନିଜେ ନିଜକୁ ବିପଦକୁ ଠେଲି ଦେଉଛି। ଏବେ କଟକରେ ପୁଣି ଠାବ ହୋଇଛି ନକଲି ଘିଅ।

ଭେଜାଲ ଜାଲରେ ସିଲଭର ସିଟି। ଗୋଟିଏ ପରେ ଗୋଟିଏ ନକଲି କାରଖାନା ଠାବ ହେଉଛି। କଟକରେ ପୁଣି ନକଲି ଘିଅ ଫ୍ୟାକ୍ଟ୍ରି ଠାବ। କଟକ ସିଡିଏ ସେକ୍ଟର-୯ରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ୍। ଏ‍ବଂ ମାଲିକକୁ ଅଟକ ରଖି ମର୍କତନଗର ପୋଲିସ ପଚରାଉଚରା କରୁଛି। ନକଲି ଘିଅର ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି । କେବେଠାରୁ ଏହି ଘିଅ ମାର୍କେଟରେ ବିକ୍ରି ହେଉଛି ଏହାର ତଦନ୍ତ ମଧ୍ୟ କରାଯାଉଛି।

ସୂଚନା ଅନୁସାରେ ଆଜି ଖବର ପାଇଁ ପୋଲିସ୍ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା। ଅଚାନକ ଚଢ଼ାଉ କରି ବିପୁଳ ପରିମାଣରେ ଘିଅ ସହ ଯନ୍ତ୍ରାଂଶ ଜବତ କରାଯାଇଛି । କଟକରେ ଅନେକ ଦିନ ଧରି ନକଲି କାରବାର ଚାଲୁଥିବାର ପ୍ରମାଣ ପାଇ ପୋଲିସ୍ ଆଜି ଚଢ଼ାଉ କରିଥିଲା । ନିକଟ ଅତୀତରେ ନକଲି କାରବାର ସହ ଜଡ଼ିତ ପାଖାପାଖି୨୫ ଜଣ ବ୍ୟକ୍ତିଙ୍କୁ ଗିରଫ କରିସାରିଛି ପୋଲିସ୍। ଏହାସହ୨୫ରୁ ଉର୍ଦ୍ଧ୍ୱ କମ୍ପାନୀକୁ ମଧ୍ୟ ସିଲ କରାଯାଇଛି। ବିଶେଷ କରି ଜଗତପୁର ଅଞ୍ଚଳରେ ଚାଲିଥିବା ନକଲି ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି।

 

You might also like