କର୍ଲାପାଟରେ ଆଉ ଏକ ହାତୀ ମୃତ

ଭବାନୀପାଟଣା: ଆଜି ପୁଣି ଥରେ କର୍ଲାପାଟରେ ପ୍ରାଣ ହରାଇଛି ଆଉ ଏକ ହାତୀ। କଳାହାଣ୍ଡି କର୍ଲାପାଟରେ ହାତୀ ମଡ଼କ ଥମିବାର ନାଁ ଧରୁନି। ଆଜି ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମାଈ ହାତୀଟି ସେପ୍ଟିସେମିଆରେ ରୋଗରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଗତ ୧୪ ଦିନ ମଧ୍ୟରେ ଅଭୟାରଣ୍ୟରେ ମଲେଣି ୬ଟି ହାତୀ। ତେବେ ଏହି ହାତୀ ମୃତ୍ୟୁ ନେଇ କଳାହାଣ୍ଡି RCCF ସୁଦୀପ୍ତ ଦାସଙ୍କ ସୂଚନା ଦେଇଛନ୍ତି।

କର୍ଲାପାଟ ଅଭୟାରଣ୍ୟରେ ଗତ ଦୁଇ ସପ୍ତାହରେ ୬ଟି ହାତୀ ମଲେଣି। କେବଳ ଘୁଷୁରିଗୁଡି ଝରଣା ନିକଟରେ ଚାରିଟି ହାତୀଙ୍କ ମୃତଦେହ ମିଳିଛି। ଭୂତାଣୁ ଜନିତ ରୋଗ ହାମରେଜ୍ ସେପ୍ଟିସେମିଆ ରୋଗରେ ହାତୀଙ୍କ ଜୀବନ ଯାଉଥିବା କହିଛି ବନବିଭାଗ।

ସେପଟେ, କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ଆରମ୍ଭ ହୋଇଛି ସମୂହ ଟିକାକରଣ। ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା ଦିଆଯାଉଛି। ନଦୀ, ନାଳରେ ବ୍ଲିଚିଂ ପକାଇ ବିଶୁଦ୍ଧ କରାଯାଉଥିବା ବି ଦେଖିବାକୁ ମିଳିଛି। ହାତୀ ମୃତ୍ୟୁ ପଛର କାରଣ ଜାଣିବାକୁ କ୍ୟାମେରା ଲଗାଯିବ ବୋଲି କହିଛନ୍ତି ଡିଏଫଓ।

ସେପଟେ ଏପଟେ ରେଢାଖୋଲ ଡିଭିଜନର ନାକଟି ଦେଉଳ ରେଞ୍ଜ ଚଡଚଡି ଜଙ୍ଗଲରୁ ମିଳିଥିବା ଛୁଆ ହାତୀର ମୃତ୍ୟୁ ଆନ୍ଥ୍ରାକ୍ସ ଯୋଗୁଁ ହୋଇଥିବା ସନ୍ଦେହ କରୁଛି ବନବିଭାଗ। କିନ୍ତୁ ଅଧିକ ପରୀକ୍ଷା ପାଇଁ ମୃତ ହାତୀର ମାଂସ ଓ ରକ୍ତ ନମୁନା ଓୟୁଏଟି ପଠାଯାଇଛି। ଜଳ ସଂକ୍ରମଣ ଆଶଙ୍କା କରି ଜଙ୍ଗଲରେ ଥିବା ପୋଖରିକୁ ପୋତି ଦିଆଯିବା ସହ ଆଖପାଖ ଅଞ୍ଚଳରେ ଥିବା ଜଳାଶୟରେ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରାଯାଇଛି।

ରେଢାଖୋଲ ଡିଭିଜନରେ ବର୍ଷକ ଭିତରେ ତିନିଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ଦୁଇଟି ଆନ୍ଥ୍ରାକ୍ସ ଜନିତ ବୋଲି କହିଛି ବନ ବିଭାଗ। ତେବେ ରିପୋର୍ଟ ଆସିବା ପରେ ଛୁଆ ହାତୀର ମୃତ୍ୟୁ କାରଣ ଜଣାପଡିବ।

 

You might also like