ପୁଣି ଜଣେ କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ

ପୁରୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ ହୋଇଛନ୍ତି।  ପୁରୀ ବାଲିସାହି ଅକ୍ଷୟଧାମ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କୁ ଗିରଫ କରିଛି ଭିଜିଲାନ୍ସ।

ଗତକାଲି ସନ୍ଧ୍ୟାରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ସନ୍ଧ୍ୟାରାଣୀଙ୍କ ଠାରୁ ୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ତାଙ୍କ ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଲଡିଂ, ମଙ୍ଗଳା ହାଟରେ ଥିବା ଅଟା ମିଲ୍, ବାଲିସାହି ଅଙ୍ଗନବାଡ଼ି କେନ୍ଦ୍ର ଓ ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୂର ଘରେ ଛାପା ମାରିଥିଲା ଭିଜିଲାନ୍ସ ଟିମ୍।

ଗତକାଲି ବ୍ରହ୍ମପୁରର କୋଟିପତି ଅଙ୍ଗନବାଡ଼ି ଦିଦି ନମିତା ଦଳେଇଙ୍କୁ ବି ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କଠାରୁ ମୋଟ ୨ କୋଟି ୨୦ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ କରାଯାଇଥିଲା।

ଗତପରଦିନ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର ଓ ଭୁବନେଶ୍ୱରରେ ରେଡ୍ କରିଥିଲା। ଭୁବନେଶ୍ୱରରେ ୨ଟି ଫ୍ଲାଟ୍ ଠାବ ହୋଇଥିବା ବେଳେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା ଘର ଠାବ ହୋଇଛି। ସେହିପରି ବ୍ୟାଙ୍କରେ ୧୨ ଲକ୍ଷ ଟଙ୍କା ଜମା ହୋଇଥିବା ସୂଚନା ମିଳିଛି। ଗିରଫ ଅଙ୍ଗନବାଡି ଦିଦି ନିଜ ଘରେ ଗୋଟିଏ ଛତୁଆ ୟୁନିଟ୍ ଖୋଲିଥିବା ସୂଚନା ମିଳିଛି।

ଏପଟେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଭିଜନ୍-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

ଉଦ୍ଧବଙ୍କ ଗୁଣୁପୁର ଅଫିସ୍ ଓ ସରକାରୀ ବାସଭବନ ସମେତ ବ୍ରହ୍ମପୁର, ଧରାକୋଟ, ପୁରୀରେ ଭିଜିଲାନ୍ସ ରେଡ୍ କରିଥିଲା। ସେପଟେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ଗ୍ରାମ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯ୍ୟେଧନ ମେହେର ଘରେ ଭିଜିଲାନ୍ସ ରେଡ କରିଥିଲା। ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନେତୃତ୍ୱରେ ତାଙ୍କ ସୋନପୁର ସହର ମାଣିକେଶ୍ୱରୀ ସ୍ଥିତ ବାସଭବନ ଏବଂ ଚେରୁପାଲି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଏକା ସାଂଗରେ ଚଢ଼ାଉ ହୋଇଛି।

You might also like