ଖାଦ୍ୟ ଦେବା ବଦଳରେ ବୋମା ଖୁଆଇଦେଲା ମଣିଷ !

ବ୍ରହ୍ମପୁର: ନିଜ ସ୍ୱାର୍ଥ ହାସଲ କରିବା ପାଇଁ ମଣିଷ କେତେ ତଳକୁ ଖସିପାରେ ! ନିରୀହ ପଶୁଙ୍କୁ ଶିକାର କରିବା ପାଇଁ ସେ ଯେକୌଣସି ଉପାୟ ବି ଆପଣେଇପାରେ। ଶିକାର କରିବା ପାଇଁ ଖାଦ୍ୟ ବଦଳରେ ମଣିଷ ରଖିଲା ବୋମା। ଆଉ ବିଚରା ନିରୀହ ପଶୁଟି ଖାଦ୍ୟ ଭାବି ବୋମାକୁ ଖାଇଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି କାଳୁଆ ରୋଡ଼ ନିକଟରେ ବିଲ ରହିଛି। ନିତିଦିନ ସେଠାରେ ଗାଈ ଚରିଥାନ୍ତି। କିନ୍ତୁ କେହି ଦୁର୍ବୃତ୍ତ ସେଠାରେ ଶିକାର ଉଦ୍ଦେଶ୍ୟରେ ବୋମା ରଖିଦେଇଥିଲା। ପରଦିନ ଖାଦ୍ୟ ଉଦ୍ଦେଶ୍ୟରେ ବିଲରେ ଚରୁଥିଲା ଗାଈ। କିନ୍ତୁ ହଠାତ୍ ତାର ନଜର ସେହି ଖାଦ୍ୟ ସଦୃଶ ବୋମା ଉପରେ ପଡ଼ିଥିଲା। ବିଚରା ନିରୀହ ଗାଈଟି ଖାଦ୍ୟ ଆଶାରେ ବୋମାଟିକୁ ଚୋବାଇ ଦେଇଥିଲା।

ବୋମାକୁ ମୁହଁରେ ଚୋବାଇବା କ୍ଷଣି ପାଟିରେ ଫାଟିଯାଇଥିଲା। କିଛି ନିରୁପାୟ ନିରୀହ ଗାଈଟି କଷ୍ଟ ସହି ନପାରି ପଡ଼ିଯାଇଥିଲା। ଆଖିରୁ ଲୁହ ଆଉ ମୁହଁରୁ ରକ୍ତ ବାହାରିଥିଲା। ବାରହା ଶିକାର ପାଇଁ ଲଗା ଯାଇଥିବା ବୋମା ଫୁଟି ଯାଇଥିବା ସନ୍ଦେହ କରାଯାଉଛି। ଗାଈ ମୁହଁରେ ଲାଗିଛି ଗୁରୁତର ଭାବେ ଆଘାତ ଲାଗିଛି।

ପୂର୍ବରୁ ମଧ୍ୟ ବ୍ରହ୍ମପୁର ହରିଡାଖଣ୍ଡି ଓ ଖଲ୍ଲିକୋଟ ଅଞ୍ଚଳରେ ଏଭଳି ଘଟଣା ଘଟିଥିଲା। ଜମିରେ ବାରହା ଶିକାର ପାଇଁ ଲଗା ଯାଇଥିବା ବୋମାକୁ ଖାଇ ଗାଈ ଗୁରୁତର ମଧ୍ୟ ହୋଇଥିଲା। ଯେଉଁଠି ଗାଈକୁ ଗୋମାତା ଭାବେ ପୂଜା କରାଯାଏ, ଆଜି ସେଠି ହିଂସ୍ର ହୋଇପାରୁଛି, ତାହା ଜାଣିପାରୁଥିବେ।

ସୂଚନା ଅନୁସାରେ, କେନ୍ଦୁପାଟ ଗାଁର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାର୍‌ହା ଶିକାର କରିଥାନ୍ତି। ଏଥିପାଇଁ ସେମାନେ ବିଲରେ ବୋମା ରଖନ୍ତି। ଗତକାଲି ସନ୍ଧ୍ୟାରେ ଗାଁର ସୁଦୁରୁ ରାଉତଙ୍କ ଗାଈ ଚରିବାକୁ ଯାଇ ଘରକୁ ଫେରି ନଥିଲା। ବହୁ ଖୋଜାଖୋଜି ପରେ ଗାଈଟି ଗାଁ ନିକଟସ୍ଥ ଜଗାଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଈଟି ବିଲରେ ଚରୁଥିବା ବେଳେ ବୋମାଟିକୁ ଚୋବାଇ ଦେଇଥିଲା। ଫଳରେ ବୋମାଟି ବିସ୍ଫୋରଣ ହୋଇଯାଇଥିଲା।

ଏହି ଘଟଣାକୁ ନେଇ ଏନେଇ ସୁଦୁରୁ ଗାଁର ଜଣେ ବ୍ୟକ୍ତିଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ପାଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ୍‌ ଟିମ୍‌ କେନ୍ଦୁପାଟ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଅଭିଯୁକ୍ତ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ଗତବର୍ଷ କେରଳର ମଲ୍ଲାପୁରମ୍‌ରେ ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀକୁ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ବୋଧ ହୁଏ ଏହା ସବୁଠୁ ଥିଲା ଘୃଣ୍ୟ ଉଦାହରଣ।

କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା। ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

You might also like