ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୧୨୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଆଜି ସମସ୍ତ ଆରୋଗ୍ୟଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ। ସର୍ବାଧିକ ୩୩ ଜଣ ଖୋର୍ଦ୍ଧାରୁ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୩, ପୁରୀରୁ ୧୪, କଟକରୁ ୧୪, ମୟୂରଭଞ୍ଜରୁ ୧୩, ଗଞ୍ଜାମ ୧୦, କେଉଁଝର ୯, ଯାଜପୁର ୮ ନୂଆପଡ଼ାରୁ ୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୪ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣ ସୁନ୍ଦରଗଡ଼ରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ଏଯାବତ ୩୯୮୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।

ଅନ୍ୟପଟେ ଆଜି ରାଜ୍ୟରେ ଆଉ ୧୬୭ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ମଧ୍ୟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୬୭  ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୭ ରହିଛି।

ସେହିପରି ଆଜି ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧,୧୪୩ଜଣ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା। ତେବେ ଜଣଙ୍କୁ ଛାଡ଼ି ବାକି ୧,୧୪୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।

You might also like