ଅବ୍ୟବସ୍ଥା ଭିତରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

ଫୁଲବାଣୀ: କୋମଳମତି ଶିଶୁମାନଙ୍କୁ ପ୍ରାକ୍ ଶିକ୍ଷାଦାନ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି। ତେବେ ଆଜି ଏମିତି ଅନେକ ସ୍ଥାନ ଅଛି ଯେଉଁଠି ପ୍ରାକ୍‌ ଶିକ୍ଷାଦାନ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଯୋଜନା ଫେଲ୍‌ ହୋଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଫୁଲବାଣୀ ସହରର ପିଅନପଡ଼ା ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୯ଜଣ ଛାତ୍ରଛାତ୍ରୀ ଏଠି ପାଠ ପଢ଼ୁଛନ୍ତି।

୫ଟି କୋଠରୀ ଥିବା ଏହି ସ୍କୁଲରେ ଯେଉଁଥିରୁ କେବଳ ପଞ୍ଚମ ଶ୍ରେଣୀ ପିଲା ଗୋଟିଏ ଶ୍ରେଣୀ ଗୃହରେ , ବାକି ପ୍ରଥମରୁ ଚର୍ତୁଥ ଶ୍ରେଣୀ ପର୍ଯ୍ୟନ୍ତ ପିଲା ୨ଟି କୋଠରୀରେ ବସି ପାଠ ପଢୁଛନ୍ତି।

ହେଲେ ଏଠି କେବଳ ବିଦ୍ୟାଳୟ ନୁହେଁ ୩ଟି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଚାଲିଛି। ସ୍କୁଲର ଅନ୍ୟ ୨ଟି କୋଠରୀରେ ଚାଲିଛି ୩ଟି ଅଙ୍ଗନବାଡି କେନ୍ଦ୍ର। ଯାହା ଫଳରେ ବିଦ୍ୟାଳୟ ହେଉକି , ଅଙ୍ଗନବାଡି ପିଲାଙ୍କୁ ଯେଉଁ ମାନର ଶିକ୍ଷା ମିଳିବା କଥା ତାହା ମିଳିପାରୁନାହିଁ । ତା’ସହ ପୁଣି ଏଠାରେ ହିଁ ପ୍ରସୂତୀ ମହିଳାଙ୍କୁ ବିଭିନ୍ନ ଛତୁଆ, ଅଣ୍ଡା ପ୍ରଦାନ, ନବଜାତ ଶିଶୁମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ଦୈନନ୍ଦିନ ଚାଲିଛି। ଯେଉଁଥିପାଇଁ ବିଦ୍ୟାଳୟରେ ଆଉ ଶୈକ୍ଷିକ ବାତାବରଣ ରହୁନାହିଁ ।


ଦେବଗଡ଼ ତିଲେଇବଣି ବ୍ଲକ ଦୁଧିଆନାଳିର ଟେଣ୍ଟଲୋଇ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା ବି ଆହୁରି ଖରାପ। କାରଣ ଏଠି କୋଠରୀ ହିଁ ନାହିଁ । ଅଙ୍ଗନବାଡି କର୍ମଚାରୀଙ୍କ ଅଣଓସାରିଆ ବାରଣ୍ଡାରେ ଚାଲିଛି ପାଠପଢା।
୨୦୧୨-୧୩ ଆର୍ଥିକ ବର୍ଷରେ ଆଇ.ଏ.ପି ଯୋଜନାରୁ ୫ଲକ୍ଷ ଟଙ୍କା ବ୍ୟୟରେ ଗାଁ ମଝିରେ ଅଙ୍ଗନବାଡି କୋଠା ନିର୍ମାଣ କରାଯାଇଥିଲା। ହେଲେ ୬ବର୍ଷ ପରେ ବି ଏହି କୋଠାକୁ ବ୍ୟବହାର କରାଯାଇ ପାରିନାହିଁ।

ସେପଟେ ସୁବର୍ଣ୍ଣପୁର ବିନିକା ବ୍ଲକ ଭଣ୍ଡାର ପଞ୍ଚାୟତ ଝାର କଦଳିପାଲି ଗାଁରେ ବି ନାନା ଅବ୍ୟବସ୍ଥା ଭିତରେ ଚାଲିଛି ଅଙ୍ଗନବାଡି। ୨୦୧୫-୧୬ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟରେ ଏକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରାଯାଇଛି। ହେଲେ ଏଇ ଚକାଚକ୍ କୋଠରୀ ସମ୍ପୂର୍ଣ୍ଣ ହେବାର ୨ବର୍ଷ ପରେ ବି ଏଠି ଅଙ୍ଗନବାଡି ଚାଲିପାରିନାହିଁ। ଏବେ ୨୨ଜଣ କୋମଳମତୀ ଛାତ୍ରଛାତ୍ରୀ କେତେବେଳେ ଆମ୍ବଗଛ ତଳେ ତ ଆଉ କେତେବେଳେ ଅଙ୍ଗନବାଡି ଦିଦିଙ୍କ ଘର ବାରଣ୍ଡାରେ ବସି ପାଠ ପଢୁଛନ୍ତି।

You might also like