ଅଙ୍ଗନବାଡ଼ି ହେବ ତ ଏମିତି: ପ୍ଲେ-ସ୍କୁଲଠାରୁ ଅଧିକ ସୁନ୍ଦର ଓ ବ୍ୟବସ୍ଥିତ

କାନ୍ଥ ସାରା ଆକର୍ଷଣୀୟ ରଙ୍ଗୀନ ଚିତ୍ର, LED ଲାଗିଛି, ମ୍ୟାଟ୍ ବିଛାଯାଇଛି

ଆଳି: ଦିନକୁ ଦିନ ବେସରକାରୀ ଶିକ୍ଷାନୁଷ୍ଠାନର ଚାହିଦା ବଢୁଛି। ଆକର୍ଷଣୀୟ ଶିକ୍ଷା ଉପକରଣ ଏବଂ ଅତ୍ୟାଧୁନିକ ଶୈଳୀର ପାଠପଢା ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାମାନେ ମନବଳାଉଥିବା ବେଳେ ଆଳିର ଏକ ଅଙ୍ଗନବାଡି ଶିକ୍ଷା କେନ୍ଦ୍ରକୁ ନେଇ ଚର୍ଚ୍ଚା କୁନି କୁନି ପିଲାମାନଙ୍କୁ ପାଠପଢା ସହ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଟ କରିବା ଏଠାରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା।

କେଉଁଠି କାନ୍ଥରେ ଲେଖାହୋଇଛି ସଚେତନତାର ବାର୍ତ୍ତା ତ ଆଉ କେଉଁଠି ଚିତ୍ରିତ ହୋଇଛି ପଶୁ ପକ୍ଷୀଙ୍କ ଛବି। ଆକାଶ ପରି ଛାତସାରା ଫୁଲ ପରି ଫୁଟିଛି ଝିକିମିକି ତାରା। ତଳେ ପଡ଼ିଛି ପରିସ୍କାର ପରିଚ୍ଛନ୍ନ ମ୍ୟାଟ୍। ପିଲାଙ୍କ ବସିବା ପାଇଁ ରହିଛି ବିଭିନ୍ନ  ରଙ୍ଗର ଆକର୍ଷଣୀୟ ଚେୟାର ଏବଂ ଟେବୁଲ୍। ଶ୍ରେଣୀ ଗୃହରେ ଲାଗିଥିବା ଏଲ୍ଇଡି ଟିଭିରେ ଚାଲିଛି ଶିକ୍ଷା ଉପଯୋଗୀ ବିଭିନ୍ନ କାର୍ଯ୍ୟକ୍ରମ। ଗୀତର ତାଳେ ତାଳେ ନାଚୁଛନ୍ତି ପିଲା ଏବଂ ଶିକ୍ଷୟିତ୍ରୀ।

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଟୁଙ୍ଗା ପଞ୍ଚାୟତର ଏଣ୍ଡୋଳ ଓ ହରିଜନ ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ରର ଏହି ଅଙ୍ଗନବାଡି କେନ୍ଦ୍ରକୁ ପ୍ରତିଦିନ ୪୨ ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସିଥାନ୍ତି। ବ୍ଲକ ପ୍ରଶାସନର ସହଯୋଗରେ ପଞ୍ଚାୟତ ପକ୍ଷରୁ ଚତୃଦଶ ଅର୍ଥ କମିଶନଙ୍କ ଅନୁଦାନ ପାଣ୍ଠିକୁ ବିନିଯୋଗ କରାଯାଇ ଅଙ୍ଗନବାଡ଼ି କେନ୍ଦ୍ର ସଜାହୋଇଛି। ପାଠ ପଢା ସାଙ୍ଗକୁ ଏଠାରେ ପିଲାମାନଙ୍କ ଦୁଇ ଥର ସକାଳେ ଏବଂ ମଧ୍ୟାହ୍ନ ଭୋଜନ ଦିଆଯାଉଛି। 

ପିଲାମାନଙ୍କ ହିତକୁ ଦୃଷ୍ଟିରେ ରଖି ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବାରୁ ଅଙ୍ଗନବାଡି କେନ୍ଦ୍ରକୁ ଆସିବାକୁ ପିଲାମାନେ ଇଚ୍ଛା ପ୍ରକାଶ କରିଛନ୍ତି।ଏହି ଅଙ୍ଗନବାଡି କେନ୍ଦ୍ର ଆଦର୍ଶ କେନ୍ଦ୍ର ଭାବରେ ସମଗ୍ର ଜିଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ଜିଲ୍ଲାରେ ଥିବା ୯ଟି ବ୍ଲକରେ ଏବେବି ଅନେକ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ  ଘରଟିଏ ନାହିଁ। କେଉଁଠି ଗାଁ କ୍ଲବ ଘରେ ତ ଆଉ କେଉଁଠି ସ୍କୁଲ ବାରଣ୍ଡାରେ କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ାଚାଲିଛି।

ଯଦି ସରକାର ଅଙ୍ଗନବାଡି କେନ୍ଦ୍ର ଗୁଡିକର ଏହିଭଳି ଭିତ୍ତିଭୂମି ବିକାଶ ନିମନ୍ତେ ସହାୟତା ପ୍ରଦାନ କରନ୍ତେ, ତେବେ  କରନ୍ତେ ତେବେ ଅଭିଭାବକ ମାନେ ଘରୋଇ ଶିକ୍ଷାନୁଷ୍ଠାନ  ବଦଳରେ ସରକାରୀ ଶିକ୍ଷାନୁଶଷ୍ଠାନ ପ୍ରତି ଇଚ୍ଛୁକ ରୁହନ୍ତେ ବୋଲି କହିଛନ୍ତି ଲୋକେ।

You might also like