ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଗାଁ : ଲୋକଙ୍କ ସମସ୍ୟା ଓ ଦାରିଦ୍ର୍ୟତାର ଫାଇଦା ନେଉଛି ପଡ଼ୋଶୀ ରାଜ୍ୟ

ପାତ୍ରପୁର(ଅଶୋକ ବ୍ରହ୍ମା): ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ ଗଂଜାମର ସୀମାନ୍ତବର୍ତ୍ତୀ ଗାଁ। ସମସ୍ୟା ଓ ଦାରିଦ୍ର୍ୟର ଫାଇଦା ନେଉଛି ଆନ୍ଧ୍ର। କେବଳ କୋଟିଅ ନୁହେଁ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଗଂଜାମ ଜିଲା ପାତ୍ରପୁର ବ୍ଲକର ଅନେକ ଗାଁ ଉପରେ ଆନ୍ଧ୍ର କବଜା କରିବାକୁ ବସିଲାଣି। ଆସନ୍ତା ୧୩ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଲୋକଙ୍କୁ ନିଜ ଭୋଟର ଭାବେ ବ୍ୟବହାର କରିବାକୁ ମସୁଧା ଚଳାଇଛି ଆନ୍ଧ୍ର।

ଗଂଜାମ ଜିଲା ପାତ୍ରପୁର ବ୍ଲକ୍ ତୁମ୍ବା ପଞ୍ଚାୟତର କୁଲାଡି ଗାଁ। ଓଡିଶା-ଆନ୍ଧ୍ର ସୀମାନ୍ତର ଛୋଟିଆ ଗାଁ ଗାଁକୁ ଯିବାକୁ ହେଲେ ପ୍ରଥମେ ମହେନ୍ଦ୍ର ତନୟା ନଦୀ ପାର କରିବାକୁ ପଡିବ। ଏଠାରେ ବ୍ରିଜ ଟିଏ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି। ହେଲେ ଏଯାଏଁ ତାହା ହୋଇପାରିଲାନି। ଆନ୍ଧ୍ରପଟେ କିନ୍ତୁ ଗାଁକୁ ସୁନ୍ଦର ରାସ୍ତା ସହ ଗମନାଗମନର ବ୍ୟବସ୍ଥା ରହିଛି। ଫଳରେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି କୁଲାଡି ଗାଁ ବାସିନ୍ଦା। ଖାଲି ସେତିକି ନୁହେଁ, ଗାଁର ଜଣେ ମହିଳା ଆନ୍ଧ୍ର ପଂଚାୟତ ନିର୍ବାଚନର ପ୍ରାର୍ଥୀ ହୋଇଛନ୍ତି। ତେବେ ଗାଁଲୋକ ତାଙ୍କ ବିଷୟରେ ମୁହଁ ଖୋଲିବାକୁ ନାରାଜ।

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଧିକାଂଶ ଲୋକଙ୍କ ପାଖରେ ରହିଛି ଦୁଇଟି ରାଜ୍ୟର ଆଧାର କାର୍ଡ। ଗୋଟିଏ ଓଡିଶାର ଅନ୍ୟଟି ପଡୋଶୀ ରାଜ୍ୟ ଆନ୍ଧ୍ରର। ତେବେ ଏ ସମ୍ପର୍କରେ ତୁମ୍ବା ଉନ୍ନୟନ ପ୍ରକଳ୍ପର ମ୍ୟାନେଜର ପାତ୍ରପୁର ତହସିଲର ସୁପରଭାଇଜର ବି ଗାଁରେ ପହଁଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଧ୍ର ପଂଚାୟତ ନିର୍ବାଚନର ପ୍ରାର୍ଥୀ ସମ୍ପର୍କରେ ପଚରାଉଚରା କରୁଥିଲେ ବି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ।  କିଏ ଆନ୍ଧ୍ର ପଂଚାୟତ ର୍ନିବାଚନରେ ପ୍ରାର୍ଥୀ ହୋଇଛନ୍ତି ତାର ଖବର କାହା ପାଖରେ ନାହିଁ।

You might also like