ଗାଁର ନା ବଦଳାଇ ଦେଇ ଓଡ଼ିଶା ଜମିକୁ ହାତେଇଛି ଆନ୍ଧ୍ର

ଆନ୍ଧ୍ର କରୁଛି ଦାଦାଗିରି

ଭୁବନେଶ୍ୱର(ଆଦର୍ଶ ଦାଶ): କଥାରେ ଅଛି କଅଁଳ ଲୁହାକୁ ଉଈ ଖାଏ ବୋଲି। ସେଇଆ ହିଁ ହେଉଛି ।ଆମ ସରଳତା କୁହନ୍ତୁ କି ବ୍ୟବସ୍ଥାର ନିକମାପଣ ପାଇଁ ସୀମାରେ ବର୍ଷ ବର୍ଷ ଧରି ଦାଦାଗିରି ଦେଖାଇ ଚାଲିଛି ଆନ୍ଧ୍ର। ଆମ ଗାଁ ନାଁକୁ ବଦଳେଇ ନୂଆ ନାଁ ଦେଉଛି, ସରକାରୀ ସ୍କୁଲ ବନେଇ ଓଡ଼ିଆ ପିଲାଙ୍କୁ ତେଲଗୁ ପଢ଼ାଇବାର ସାହାସ ବି କରିଛି। ସବୁଠୁ ବଡ଼ କଥା ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାଁରେ ଥିବା ଜମି ଉପରେ ଦୀର୍ଘ ବର୍ଷ ଧରି ଆନ୍ଧ୍ରର ସରକାରୀ ସ୍କୁଲ ଚାଲିଛି। ହେଲେ ଆମ ସରକାର ଚୁପ୍ ହୋଇ ବସିଛନ୍ତି।

ବର୍ତ୍ତମାନ ସମୟରେ, ଚର୍ଚ୍ଚାରେ ଥିବା ଏମ୍ପିୟୁପି ସ୍କୁଲ ଏବେ ଯେଉଁଠାରେ ଅଛି, ତାହାକୁ ନେଇ ଓଡିଶା ସରକାରଙ୍କ ରେକର୍ଡ କହୁଛି ସେହି ସ୍ଥାନଟି ଗଜପତି ଜିଲ୍ଲା କାଶୀନଗର ତହସିଲ ହାହୁଭାଙ୍ଗି ମୌଜାର ଖତିଆନ୍ ନମ୍ବର ୮୨ରେ ଥିବା ୮୧୩ ନମ୍ବର ପ୍ଲଟ୍। ଆଉ ଯାହାର ମାର୍ଫତଦାତା ହେଉଛନ୍ତି ଉତ୍କଳପ୍ରଦେଶର ଅନ୍ୟତମ ବିନ୍ଧାଣୀ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ହେଲେ ଏଠି କିନ୍ତୁ ଦୀର୍ଘବର୍ଷ ଧରି ରାଜ କରୁଛି ଆନ୍ଧ୍ର। ହାଡୁଭାଙ୍ଗି ମୌଜାର ଏକ ଅଞ୍ଚଳକୁ କୌଶଲ୍ୟାପୁର ବୋଲି ଦର୍ଶାଇ, ଖୋଦ୍ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜମିକୁ ଭୋଗଦଖଲ କରି ୧୯୫୫ ମସିହାରୁ ଏଠି ସ୍କୁଲ ଚଳାଇ ଆସୁଛନ୍ତି ଆନ୍ଧ୍ର ସରକାର।

ଉତ୍କଳ ସମ୍ମିଲନୀର ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ୧୯୭୪ରେ ରେକର୍ଡ ପ୍ରକାଶିତ ହେବା ବେଳେ ଏପରି ସ୍ଥିତି ଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପରିବର୍ତ୍ତନ ହୋଇନାହିଁ। ସେ ଜମି ଓଡ଼ିଶା ସରକାରଙ୍କର, ତେଣୁ ସେଥିରେ ଆନ୍ଧ୍ରର କୌଣସି ଅଧିକାର ନାହିଁ।

ଖାଲି ଏହି ପ୍ଲଟ୍ ନୁହେଁ, ଅଭିଯୋଗ ହେଉଛି ୮୨ ନମ୍ବର ଖାତାରେ ୧୮ ଜଣଙ୍କ ନାଁରେ ଥିବା ୧୨୦ଟି ପ୍ଲଟର ପାଖାପାଖି ୨୭ ଏକର ଜମି ଆନ୍ଧ୍ର କବଜାରେ ରହିଛି। ହେଲେ ଆଜିକାଲି ନୁହେଁ ଆନ୍ଧ୍ରର ଏ ଦାଦାଗିରିକୁ , ସ୍ୱାଭିମାନ ଉପରେ ପ୍ରଚଣ୍ଡ ଆଘାତକୁ ପ୍ରାୟ ୬୫ ବର୍ଷ ଧରି ସହି ଆସୁଛି ସ୍ଥାନୀୟ ପ୍ରଶାସନ, ଆଉ ଆମ ସରକାର।

ଏ ସ୍କୁଲରେ ଏବେ ୧୪୭ ପିଲା ପାଠ ପଢୁଥିବା ବେଳେ ସେଥିରୁ ୭୦ ଜଣ ଓଡ଼ିଆ ପିଲା ଥିବା ଜଣାପଡ଼ିଛି। ହେଲେ ସ୍ଥାନୀୟ ଲୋକଙ୍କ କହିବା କଥା, ଏହା ଓଡ଼ିଶାର ଜାଗା ହୋଇଥିଲେ ବି ଓଡ଼ିଶା ସରକାର ଏଠି ଲୋକଙ୍କୁ କୌଣସି ସୁବିଧା ଦେଉନି। ହେଲେ ଆନ୍ଧ୍ରରୁ ସବୁ କିଛି ସହଯୋଗ ମିଳୁଛି। ଏପରିକି ୪୦ ବର୍ଷ ଧରି ଏଠି ଆନ୍ଧ୍ର ସରକାର ନିର୍ବାଚନ କରୁଥିବାରୁ ଏବେ ବିବାଦ କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି? ତେବେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ କହିଛନ୍ତି, ଏଭଳି ଘଟଣା ଏବେ ନଜରକୁ ଆସିଥିବାରୁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

ଖାଲି କୋରାପୁଟର କୋଟିଆ କି ଗଜପତି ନୁହେଁ ରାଜ୍ୟର ୭ଟି ଜିଲ୍ଲାରେ ପଡ଼ୋଶୀ ରାଜ୍ୟମାନଙ୍କ ସହ ସୀମା ନେଇ ବିବାଦ ରହିଥିବା ବିଧାନସଭାରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର। ଗତକାଲି ଏ ସଂପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ପଡ଼ୋଶୀ ରାଜ୍ୟ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ ପାଇଁ ଚେଷ୍ଟା ଚାଲିଛି।କିନ୍ତୁ ଗୋଟିଏ ପରେ ଗୋଟିଏ ଦାଦାଗିରି ଏବେ ସାମ୍ମାକୁ ଆସିବାରେ ଲାଗିଛି।

You might also like