ବାରଣ ସତ୍ତ୍ୱେ ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ:ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ
୧୦୨୫ ଜଣ ଓଡ଼ିଆ ଭୋଟରଙ୍କ ପାଇଁ ବୁଥ୍ ବ୍ୟବସ୍ଥା କରିଛି ବିଜୟନଗରମ ଜିଲ୍ଲା ପ୍ରଶାସନ
କୋରାପୁଟ: ଓଡ଼ିଶାରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ। କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଲାଗି ଭୋଟଗ୍ରହଣ ଆରମ୍ଭ ସାରିଛି । ଆନ୍ଧ୍ର ବିଜିୟନଗରମ ଜିଲ୍ଲା ପ୍ରଶାସନ ପଟୁସିନେରିକୁ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରୁଛି। ଏହି ଗାଁରେ ୧୦୨୫ ଜଣ ଭୋଟରଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରିଛି। କୋରାପୁଟ ଜିଲ୍ଲାରେ ଥିବା ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି। ଏଥିରେ ରହିଛି ଓଡ଼ିଶାର ୫ଟି ଗାଁ ଓ ଆନ୍ଧ୍ରର ୨ଟି ଗାଁ।
ଓଡ଼ିଶାର ସୀମାନ୍ତ ଗାଁରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ, ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ,କୋଟିଆରେ ନିର୍ବାଚନ ବନ୍ଦ ରଖିବାକୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ, ବିଜୟନଗରମ୍ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ ଜିଲ୍ଲାପାଳ #Odisha #AndhraPradesh
— ଓଟିଭି (@otvkhabar) February 13, 2021
ଆଜି ନିର୍ବାଚନ ହେଉଥିବା ଓଡ଼ିଶାର ଗାଁ ଗୁଡ଼ିକ ହେଲା ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପଟୁସିନେରି ଓ କୋନାଦରା ଏବଂ ଆନ୍ଧ୍ରର ଦୁଇଟି ଗାଁ ହେଲା ଚିକାପାରୁ ଓ ବାଲେଙ୍ଗା ବେଲେସା। ସେହିପରି ତଳଗଂଜେଇ ପଦର ନାଁ ବଦଳେଇ ଗଂଜେଇ ବାଦ୍ରା ନାଁରେ ନିର୍ବାଚନ କରାଉଛି ଆନ୍ଧ୍ର। ସକାଳ ସାଢ଼େ ୬ଟାରୁ ଏହିିସବୁ ଗାଁରେ ଭୋଟ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ସରିବ। ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ସରିଥିବାବେଳେ ଏହି ଭୋଟ୍ ଗ୍ରହଣ ବନ୍ଦ ରଖିବା ଲାଗି କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତର ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନି ନିର୍ବାଚନରୁ ବିରତ ରହିବା ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏଥିସହ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଧ୍ର ନିର୍ବାଚନ କଲେ ଆବଶ୍ୟକ ପରିଣାମର ସମ୍ମୁଖୀନ ହେବ ବୋଲି ସୁପ୍ରିମକୋର୍ଟ କହିସାରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ନିର୍ବାଚନରୁ ବିରତ ରହିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ସେହିପରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗରେ ମଧ୍ୟ ଆନ୍ଧ୍ର ଆଜି ପଞ୍ଚାୟତ ନିର୍ବାଚନ କରାଉଛି। ଲୋକେ ଅଭିଯୋଗ କରିଛନ୍ତି, ଯଦିଓ ଏହି ଗାଁ ଓଡ଼ିଶାର, ତେବେ ଓଡ଼ିଶାର ସରକାରଙ୍କ ସୁବିଧା ସୁଯୋଗ ପହଞ୍ଚୁ ନଥିବାରୁ ଲୋକେ ଆନ୍ଧ୍ର ଆଡ଼କୁ ଢଳୁଛନ୍ତି। କାରଣ ଆନ୍ଧ୍ର ସରକାର ଲୋକଙ୍କୁ ଯୋଗାଇ ଦେଇଛନ୍ତି ସମସ୍ତ ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଖରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର ରାସନ କାର୍ଡ, ଆଧାର, ଭୋଟର କାର୍ଡ ରହିଛି।
ସେହିପରି ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ସୀମାନ୍ତବର୍ତ୍ତୀ ତୁମ୍ବା ପଞ୍ଚାୟତର କୁଲାଡ଼ି ଗାଁରେ ବି ଆଜି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ହେଉଛି। ଏପରିକି କୁଲାଡ଼ି ଗାଁର ଜଣେ ମହିଳା ମଧ୍ୟ ପ୍ରାର୍ଥୀ ହୋଇଥିବା ସୂଚନା ମିଳିଛି। କୁଲାଡ଼ି ଗାଁର ଲୋକଙ୍କ ପାଖରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ତରଫରୁ ଆଧାର କାର୍ଡ ଅଛି ଅଭିଯୋଗ ହେଉଛି। ଏହି ସୀମାନ୍ତବର୍ତ୍ତୀ ଗାଁରେ ପଞ୍ଚାୟତ ନିର୍ବାଚନ କରାଇବାକୁ ଆନ୍ଧ୍ର ନିଜର ଭୋଟରଙ୍କୁ ବ୍ୟବହାର କରିବାର ମସୁଧା ଚଳାଇଛି। କେବଳ କୋରାପୁଟ କି ଗଂଜାମ ନୁହେଁ, ଗଜପତି ଜିଲ୍ଲାର କେତେକ ସୀମାନ୍ତବର୍ତ୍ତୀ ଗାଁରେ ମଧ୍ୟ ଆଜି ପଞ୍ଚାୟତ ନିର୍ବାଚନ କରାଉଛି।
ଆନ୍ଧ୍ର ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଗୁଡ଼ିଖୁଡ଼ି, ମାଧିଆଖୋଲ, ଅମରିଙ୍ଗି, ଆଖଡ଼ା ଓ ବୁରୁଷିଙ୍ଗିରେ ଆଜି ନିର୍ବାଚନ ହେଉଛି। ଓଡ଼ିଶାର ୨ ଜଣ ମହିଳା ପ୍ରାର୍ଥୀ ମଧ୍ୟ ହୋଇଥିଲେ ପ୍ରଶାସନ ବୁଝାସୁଝା କରିବା ପରେ ସେମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏହି ଅଞ୍ଚଳର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଓଡ଼ିଶାର ପୁଲିସ ପ୍ରଶାସନ। ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅଞ୍ଚଳରେ ୪ ଦିନ ହେଲାଣି ଡେରା ପକାଇଛନ୍ତି।
#ଓଡ଼ିଶା_ସୀମାନ୍ତ_ଗାଁରେ_ଆନ୍ଧ୍ରପ୍ରଦେଶର_ପଞ୍ଚାୟତ_ନିର୍ବାଚନ
ସକାଳ ୬ଟାରୁ ଅପରାହ୍ଣ ୩ଟା ଯାଏ ଭୋଟ୍ ଗ୍ରହଣ। କୋଟିଆରେ ନିର୍ବାଚନ ବନ୍ଦ ରଖିବାକୁ ବିଜୟାନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କୋରାପୁଟ୍ କଲେକ୍ଟର । #Odisha #AndhraPradesh pic.twitter.com/fmbw5gSbkl— ଓଟିଭି (@otvkhabar) February 13, 2021