କୋଟିଆ ପରେ କାଶୀନଗରରେ ରାସ୍ତା ର୍ନିମାଣ କଲା ଆନ୍ଧ୍ର

ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଛଅ ମାଇଲ ନିକଟରେ ଆନ୍ଧ୍ର ରାସ୍ତା ର୍ନିମାଣ କରୁଛି। ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କତୁରୁ ରାଜସ୍ୱ ମଣ୍ଡଳର ଆଳତି ଗାଁକୁ ଆନ୍ଧ୍ର ପ୍ରଶାସନ ରାସ୍ତା କରୁଛି। ତେବେ ଏହି ରାସ୍ତାର ପ୍ରାୟ ଏକ କିଲୋମିଟର ଓଡ଼ିଶା ମଧ୍ୟରେ ରହିଛି। ଗଜପତି ପ୍ରଶାସନ ପକ୍ଷରୁ ଆନ୍ଧ୍ରର ଏହି କାମକୁ ବନ୍ଦ କରାଯାଇଛି। ତେବେ କୋଟିଆକୁ ନେଇ ବିବାଦ ର ସମାଧାନ ହୋଇନଥିବା ବେଳେ ଆନ୍ଧ୍ର ସରକାର ପୁଣି ଗଜପତି ସୀମାନ୍ତରେ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି।

କୋଟିଆ ପରେ ରାୟଗଡ଼ା ଜିଲ୍ଲାର ସୀମାନ୍ତ ଗାଁରେ ଆନ୍ଧ୍ରର ଆଖି ପଡ଼ିଛି। ଆନ୍ଧ୍ର ସରକାରଙ୍କ ଦ୍ୱାରା ସୀମାନ୍ତ ସାନଲୁକୁଟି ଗାଁ ନିକଟରେ ରାସ୍ତା ଓ ପୋଲ ନିର୍ମାଣ କରାଯାଉଛି। ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ରାୟଗଡା ବିଡିଓ ଓ ତହସିଲଦାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାଁ ପରିଦର୍ଶନ କରିଛନ୍ତି। ଠିକାଦାରଙ୍କୁ କହିବା ପରେ ରାସ୍ତା କାମ ବନ୍ଦ ହୋଇଥିବା ରାୟଗଡ଼ା ତହସିଲଦାର କହିଛନ୍ତି।

 ଜିଲ୍ଲା ପ୍ରଶାସନ କହିବାନୁସାରେ, ଯେଉଁ ସ୍ଥାନରୁ ଓଡ଼ିଶା ସୀମା ଆରମ୍ଭ ହେଉଛି, ସେଠାରେ ଆମେ ଡିସ୍‌ପ୍ଲେ ବୋର୍ଡ ଲଗାଇବୁ। ଏଇଠୁ ଓଡ଼ିଶା ସୀମା ଆରମ୍ଭ ବୋଲି ତାହା ଡିସ୍‌ପ୍ଲେରେ ଉଲ୍ଲେଖ ରହିବ। ଏହା କଲେ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବି ଦୂର ହେବ। ସାଧାରଣ ଲୋକଙ୍କ ଜମିକୁ ନେଇ ଯେଉଁ ବିବାଦ ଲାଗୁଛି ତାହାବି ଦୂର ହେବ। 

ତେବେ ବ୍ରିଜ୍ ଯେଉଁଠି ହେଉଛି ତାହା ଆନ୍ଧ୍ର ସୀମାରେ ହେଉଛି ବୋଲି ତହସିଲଦାର କହିଛନ୍ତି। ଆନ୍ଧ୍ର ସୀମାକୁ ଲାଗିଥିବା ମୀରାବାଲି, ଦୁର୍ଗାପାଡୁ, ବୈରାଗୀ ହାଲୁଆ ଓ ଗାଜିଗାଁ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ପ୍ରଶାସନ ସ୍ଥିତି ଅନୁଧ୍ୟାନ କରିଛି। ଏଥିସହ ଲୋକଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି। ତେବେ ଆନ୍ଧ୍ର ନିର୍ବାଚନରେ ରାୟଗଡ଼ା ସୀମାନ୍ତ ଅଞ୍ଚଳର ଲୋକେ ଭାଗ ନେଇଥିବା ପ୍ରଶାସନ କହିଛି।

ଖବର ପାଇବା ପରେ ଆମେ ସାନଲୁକୁଟି ଗାଁକୁ ଯାଇଥିଲୁ। ସେଠାରେ ଆନ୍ଧ୍ର ପକ୍ଷରୁ ରାସ୍ତା କରୁଥିଲେ, ବୋର୍ଡ ବି ଲଗାଇଥିଲେ। କାମ କରୁଥିବା ସଂସ୍ଥାର ସୁପର ଭାଇଜରକୁ କହିବା ପରେ ସେମାନେ କାମ ବନ୍ଦ କରିବା ସହ ବୋର୍ଡ ବି କାଢି ଦେଇଛନ୍ତି। ଅପରପଟେ ବ୍ରିଜ୍‌ କରୁଥିବା ସ୍ଥାନ ଆନ୍ଧ୍ର ରାଜ୍ୟରେ ଯାଉଛି। ସେଠାରେ ଜମି ବିବାଦ କୌଣସି ନାହିଁ।  
-ଉମାଶଙ୍କର ବେହେରା, ତଦସିଲଦାର, ରାୟଗଡ଼ା
ମୀରାବାଲି ପଞ୍ଚାୟତର ସୁରୁଣୀ ଦୁର୍ଗାପାଡୁ, ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲୁ। ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଏଇ ଲୋକମାନେ ସାମିଲ ହୋଇନାହାନ୍ତି। ଯେହେତୁ ସେମାନେ ଓଡ଼ିଶାର ଭୋଟର, ସେଥିପାଇଁ ଓଡ଼ିଶା ପକ୍ଷରୁ ପିଡିଏସ୍, ପେନସନ୍ ଓ ପ୍ରଧାନମନ୍ତ୍ରୀ ଆବାସ  ପାଉଛନ୍ତି।
-ରାଜେନ୍ଦ୍ର ମାଝୀ, ବିଡିଓ, ରାୟଗଡା

 

 

You might also like