ଶୋଇଥିବା ବେଳେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନା ଅନ୍ତର୍ଗତ ତମସାପାଲ୍ଲୀ ଗାଁରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଗାଁର ଉଘ ପଡିଆମୀ ନାମକ ଜଣେ ବୃଦ୍ଧା ଘରେ ଶୋଇଥିବା ବେଳେ ସେହି ଗାଁର ରାମ ସୋଡି ନାମକ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଉଘ ପଡିଆମୀଙ୍କ ମୃତ୍ୟୁ ହୋଇଥିଲା।

୬ ମାସ ତଳେ ରାମ ସୋଡିଙ୍କ ପୁଅଙ୍କ ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। ବୃଦ୍ଧା ଜଣକ ଗୁଣି ଗାରେଡ଼ି କରି ପୁଅକୁ ମାରିଦେଇଥିବା ଅଭିଯୋଗ କରି ଗାଁରେ ଖାପ ପଞ୍ଚାୟତ ବସିଥିଲା। କିନ୍ତୁ ସେଥିରେ କିଛି ସମାଧାନ ନହେବାରୁ ରାମ ସୋଡି ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି।

ପୋଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

You might also like