‘ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା’

ଅମରେଶ ବିଶ୍ୱାଳ

ଆଗାମୀ ଓଡ଼ିଶାର ସ୍ଥିତି ବିଷୟରେ ଭାବିଲେ, ଚଉଦିଗ ଅନ୍ଧାର ଦିଶୁଛି। ପୋଷ୍ଟ-କରୋନା ଅର୍ଥନୈତିକ ସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ହାସ୍ୟାସ୍ପଦ ନୁହେଁ କି? ପୂରା ସ୍ଥିତିକୁ ନେଇ ଅମରେଶ ବିଶ୍ୱାଳଙ୍କ ଆଲେଖ୍ୟ।

ଏଇ ଯେଉଁ ଓଡ଼ିଆ ଭାଇମାନେ ଓଡ଼ିଶା ଫେରିଆସିଲେ, ବା ଆସିବାକୁ ଅପେକ୍ଷା କରିଛନ୍ତି, ସେମାନେ ଏବେ ଓଡ଼ିଶାରେ ଆସି କରିବେ କ’ଣ? ଏହା ହିଁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନିଜର ଢୋଲ ପିଟିଲେ, ନିଜ ଦକ୍ଷତାକୁ ପ୍ରଶଂସା କଲେ। ରାଜ୍ୟବାସୀ ଅପେକ୍ଷା କରିଥିଲେ, ରାଜ୍ୟର ଏ ବିଷମ କାଳରେ ନବୀନ ବାବୁ ହୁଏତ କିଛି ଗୋଟେ ‘ସମାଧାନର ଉପାୟ’ ବିଷୟ କହିବେ। ଦେଖିଲା ବେଳକୁ, ହାତୀ ଛାଡ଼ିବ ଛାଡ଼ିବ ଫୁସ୍।

ନବୀନ ବାବୁ କହିଲେ, କରୋନା ମୁକାବିଲାରେ ସାରା ଦେଶରେ ଓଡ଼ିଶା ଗୋଟାଏ ‘ମଡେଲ୍’। କଥାଟା ଏମିତି ଲାଗିଲା, ଯେମିତି ମ୍ୟାଚ୍ ସରିବା ଆଗରୁ କ୍ୟାପଟେନ୍ ନିଜେ ନିଜେ ଘୋଷଣା କରିଦେଲେ- ମୁଁ ବିଜେତା। ପୂର୍ବରୁ ଆଉ ଆଉ କିଛି କ୍ଷେତ୍ରରେ ଓଡ଼ିଶା ଏକନମ୍ବର ବୋଲି ଖବର ଆସିଛି। ଯେମିତିକି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ। କିନ୍ତୁ ସେ ଉପାଧି ଓଡ଼ିଶା ସରକାରଙ୍କୁ କୌଣସି ଏକ ସଂସ୍ଥା ଦେଇଛି। ହେଲେ ଏଥର ନିଜେ ସରକାର ଘୋଷଣା କରିଦେଲେ- ଆମେ ନମ୍ବର ୱାନ୍। ହେଲେ ବାସ୍ତବ ସ୍ଥିତି କ’ଣ ସେଇଆ?

ବାସ୍ତବରେ ଯୁଦ୍ଧ ସରିନାହିଁ। ନବୀନ ବାବୁ କେମିତି ତା ଆଗରୁ ଘୋଷଣା କରିଦେଉଛନ୍ତି ଯେ, ସେ ନିଜେ ଖୁବ୍ ପାରିବାର ବୋଲି? ବୁଦ୍ଧିଜୀବୀ କହୁଛନ୍ତି ଯେ, ଅସଲ ଯୁଦ୍ଧ ଏଇମାତ୍ର ଆରମ୍ଭ ହେଇଛି। ନବୀନ ବାବୁ ନିଜେ ବି ଏହା କହିଲେ। ବାହାର ରାଜ୍ୟରୁ ଆସୁଥିବା ଆମ ଓଡ଼ିଆ ଭାଇଭଉଣୀଙ୍କ ଘରବାହୁଡ଼ା ସରିନି। ଆରମ୍ଭ ହେଇଛି ମାତ୍ର। ଆହୁରି ଲକ୍ଷଲକ୍ଷ ଆସିବେ। ସେମାନଙ୍କ ପାଇଁ ବ୍ୟବସ୍ଥା ଅଛି ତ? କରୋନା ରୋଗୀ ଆହୁରି ବଢ଼ିବେ (ଈଶ୍ୱର କରନ୍ତୁ ନ ବଢ଼ନ୍ତୁ)। କ୍ୱାରେଣ୍ଟିନ ସେଣ୍ଟରର ଯାହା ବାସ୍ତବ ଚିତ୍ର ଆସୁଛି, ଆଗକୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇପାରେ। ଆଉ ଏବେଠୁ ନମ୍ବର ୱାନ୍ କହିଲେ ହେବକି?

କିଏ କିଏ ବୁଦ୍ଧିଜୀବୀ କହିଲେଣି, ଉଭୟ କେନ୍ଦ୍ର ଓ ରାଜ୍ୟ, ନଈ ନଦେଖୁଣୁ ପ୍ୟାଣ୍ଟ ସାର୍ଟ ଖୋଲି ଲଙ୍ଗଳା ହେଇକି ବୁଲିଲେ। ଅର୍ଥାତ, କରୋନା ରୋଗୀ ଦେଶ ଓ ରାଜ୍ୟକୁ ନଆସିବା ପୂର୍ବରୁ ଅତର୍ଛ ହେଇକି ଲକଡାଉନ୍ ଆରମ୍ଭ କରିଦେଲେ। (କାଲି ନା ପଅରଦିନ ରାହୁଲ ଗାନ୍ଧି ମଧ୍ୟ ଏଇକଥା କହୁଥିଲେ)। ଆଉ ଏବେ ଯେତେବେଳେ ସଂକ୍ରମିତ ଲୋକେ ଆସୁଛନ୍ତି, ସେତେବେଳେ ଲକଡାଉନ୍ ଢିଲା, ଉଠିବାକୁ ବସିଲାଣି। ଲୋକମାନେ ମଧ୍ୟ କାମଦାମ ଛାଡ଼ି ଆଉ କେତେଦିନ ଘରେ ରହିବେ? ବିରକ୍ତ ହେଇଗଲେଣି। କହିଲେଣି, ମଲେମରିବୁ ପଛେ, ଯାହାହେବ ଦେଖିବା।

ଓଡ଼ିଶା ଅର୍ଥନୀତି କଥା ଆଲୋଚନା କଲେ, ଆପଣ ଲୁଚିବେ। ସରକାର ଏବେ ଲକ୍ଷାଧିକ କୋଟି ଟଙ୍କାର ଋଣରେ ବୁଡିଛନ୍ତି। ଅର୍ଥାତ ଆଜି ଓଡ଼ିଶାରେ ଯେଉଁ ଛୁଆଟି ଜନ୍ମ ହେଉଛି, ସେ ବି ଋଣଗ୍ରସ୍ତ ଭାବରେ ଉତ୍କଳର ଆଲୁଅ ଦେଖୁଛି। ଆଗକୁ ଆଉ ଅଧିକ ଆୟ ହେବାର ଚାନ୍ସ ନାହିଁ। ଖଣି ତ ଚାଲୁନି। ଚାଲିଲେ ବି କାରଖାନା ତ ବନ୍ଦ। କାରଣ କାରଖାନା ବାଲାଏ ଯଦିବି ଖଣିରୁ କଂଚାମାଲ୍ ଆଣି ଉତ୍ପାଦନ ଆରମ୍ଭ କଲେ, ତାକୁ ବିକିବେ କୋଉଠି? ସାରା ପୃଥିବୀ ତ କାନ୍ଦୁଛି। ବଜାର କାହିଁ?

ତେଣୁ ଅର୍ଥନୀତି ବୁଡ଼ିବା ଅବସ୍ଥା ହେଲାଣି। ଏହାକୁ ଦେଖି ସରକାର ମଧ୍ୟ ‘ଢିଲା-ଲକଡାଉନ୍’ ଲାଗୁ କଲେଣି। ପ୍ରଥମେ ଯିଏ କହୁଥିଲା- ଜୀବନ ଆଗ ଜୀବିକା ପଛ, ଏବେ ସେଇମାନେ କହିଲେଣି, ଜୀବିକାକୁ ନସଜାଡ଼ିଲେ ଆଗକୁ ଜୀବନ ଚାଲିଯିବ। ମଦ ବିକ୍ରିକରି ଯାହା କିଛି ରୋଜଗାର କରୁଥିଲେ, ସିଏ ବି ଅନଲାଇନ୍- ଅଫ୍‌ଲାଇନ୍ ଗୋଲକଧନ୍ଦାରେ ଶୁଖିଗଲାଣି।

ଆମ ଗାଁ ଗାଉଁଲିରେ ପିଲାଦିନେ ଗୋଟେ ଚାଲୁ-ବୋଲି ଆମେ ଖୁବ୍ ଶୁଣୁଥିଲୁ। କିଶୋର ମସ୍ତିଷ୍କରେ ସେତେବେଳେ କଥାଟିର ମର୍ମ ନବୁଝି ମୁଁ ବି କେତେଥର କହିଛି। ତାହା ହେଲା- ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ ଖାନ୍ନା। କଥାଟି ଶୁଣିବାକୁ ଖରାପ ଲାଗୁଛି, କିନ୍ତୁ ନବୀନ ବାବୁଙ୍କ ଅବସ୍ଥା ଏବେ ଏଇଆ। ଲୋକଙ୍କୁ ମାଗଣାରେ ଚାଉଳ ଦେବାକୁ ଏବେ ଟଙ୍କା କେଉଁଠୁ ଆସିବ? ଋଣ, ଋଣ, ଋଣ।

ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆ ଭାଇଭଉଣୀଙ୍କୁ ଆଗାମୀ ଦିନରେ କାମ ଯୋଗାଇବା ସବୁଠୁ ବଡ଼ ଚ୍ୟାଲେଞ୍ଜ। ଓଡ଼ିଶାରେ କାମ ପାଇନଥିଲେ ବୋଲି ଏମାନେ ସେଠିକି ଯାଇଥିଲେ। ରୋଜଗାର କରି ଓଡ଼ିଶାକୁ ଆଣୁଥିଲେ। ଏଣେ ଓଡ଼ିଶା ସରକାର ସେଇ ସମୟରେ ନିଜର ଭିତ୍ତିଭୂମି ସଜାଡ଼ି ସେମାନଙ୍କୁ ଫେରେଇ ଆଣିବେ କ’ଣ, ଭୋଟ୍ ପାଇବାକୁ ଖାଲି ମାଗଣାରେ ସବୁକିଛି ବାଣ୍ଟିଲେ। ଏବେ ସମ୍ଭାଳ। କେତେ ବାଣ୍ଟିବ ବାଣ୍ଟ।

ରାଜ୍ୟରେ ଏବେ କେତେ କରୋନା ରୋଗୀ, କେତେ ସୁସ୍ଥ ହେଲେ, କେତେ ଆକ୍ଟିଭ୍ ଅଛନ୍ତି, ସେ ସବୁ ଆଉ ମନେରହୁନି। ଖାଲି ଶୋଇଲା ବେଳକୁ କାହାକୁ ପଚାରିଦେବା କଥା- ଭାଇ, ଆଜି କେତେ ବଢ଼ିଲେ? ନବୀନ ବାବୁଙ୍କ ଭିଡିଓ ବାର୍ତ୍ତା ସଂପର୍କରେ ପ୍ରଶ୍ନ କଲାରୁ, କେତେକ ବନ୍ଧୁ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ, ତାମିଲନାଡୁର ଉଦାହରଣ ଦେଲେ। କହିଲେ ସେ ସବୁ ରାଜ୍ୟରେ ସ୍ଥିତି ଆପଣ ଜାଣିନାହାଁନ୍ତି ବୋଧେ। ମୋର ସେଇ ବନ୍ଧୁମାନଙ୍କୁ ଉତ୍ତର- ସେଇସବୁ ରାଜ୍ୟ ସହ ଆମେ କେଉଁ ଦୃଷ୍ଟିରୁ ତୁଳନୀୟ କି? ଆହୁରି ୧୫ ରାଜ୍ୟ ଅଛନ୍ତି, ଯେଉଁଠି କରୋନା ସଂକ୍ରମଣ ଓଡ଼ିଶାଠାରୁ କମ୍। ତାହେଲେ ଇଏ କେମିତି ମଡେଲ୍ ହେଲା?
ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ, ସେ ସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଗମ୍ଭୀର। ତେଣୁ ନବୀନ ବାବୁଙ୍କୁ ଯେଉଁ ବାବୁମାନେ ଏ ଭାଷଣ ଲେଖିକି ଦେଇଥିଲେ, ନିଜ ଢ଼ୋଲ କେମିତି କୌଶଳର ସହ ପିଟାଯାଏ ତାହା ସେମାନେ ଠିକ୍‌ରେ ଜାଣିନାହାଁନ୍ତି।

ବର୍ତ୍ତମାନ ସ୍ଥିତିରେ ଯଦିଓ ରାଷ୍ଟ୍ରର ଦକ୍ଷତାକୁ ପ୍ରଶ୍ନ କରାଯିବା ଠିକ୍ ନୁହେଁ, କିନ୍ତୁ ନିଜେ ରାଷ୍ଟ୍ରମୁଖ୍ୟ ଯେତେବେଳେ ନିଜେ ଖୁବ୍ ଦକ୍ଷ ବୋଲି ଘୋଷଣା କଲେ, ମୁଁ ଭାବୁଛି, ଏବେ ଆମେ ପ୍ରଶ୍ନ କରିବାରେ କୌଣସି ଅଯୌକ୍ତିକତା ନାହିଁ। ତେବେ ହଁ, ରାଜ୍ୟମୁଖ୍ୟଙ୍କ ଆହ୍ୱାନକୁ ସମ୍ମାନ ଦେଇ, ମୁଁ ସମ୍ମାନର ସହ ‘ବନ୍ଦେ ଉତ୍କଳ ଜନନୀ’ ବୋଲିବି ନିଶ୍ଚୟ। ଆପଣ ବି ବୋଲିବେ। ବନ୍ଦେ ଉତ୍କଳ ଜନନୀ।

Phone 9777588891

You might also like