ବାତ୍ୟା ଚାଲିଗଲା କିନ୍ତୁ ଦାନାପାଣି ମାରିଦେଲା, ଏବେ କ୍ଷେତକୁ ଅନାଇ କାନ୍ଦୁଛି ଚାଷୀ

ଭୁବନେଶ୍ୱର: ଓଡ଼ିଶା କଡ଼ ଦେଇ ପଶ୍ଚିମବଙ୍ଗ ଗଲା ବାତ୍ୟା ଅମ୍ପନ। ଓଡ଼ିଶାରେ ହୁଏତ ପ୍ରାଣଘାତୀ ସାଜିନଥିଲା ବାତ୍ୟା। ହେଲେ ଚାଷୀର କିନ୍ତୁ ଭାଙ୍ଗିଦେଇଛି ମେରୁଦଣ୍ଡ। କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଏବଂ ଜଗତସିଂପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ଚାଷ ବେଉସାକୁ ଉଜାଡ଼ି ଦେଇଛି ବାତ୍ୟା ଅମ୍ପନ। କେଉଁଠି ଅମଳ ହେବା ଆଗରୁ ପାଣିରେ ବତୁରିଯାଇଛି ଧାନ ଆଉ ମୁଗ, ତ ଆଉ କେଉଁଠି ଅର୍ଥକାରୀ ଫସଲ ଲୋଟିପଡ଼ିଛି କ୍ଷେତ ମଝିରେ। ଫଳରେ ଦାନାପାଣି ହରାଇବା ପରେ ଚିନ୍ତାରେ ଥିବା ଚାଷୀ ନିଜ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଛନ୍ତି।

ଚାଷ ଜମିରେ ଚୋଟ ମାରିଛି ଅମ୍ପନ। ଚାରିଆଡ଼େ ଉଜୁଡ଼ା ଚିତ୍ର, କ୍ଷତବିକ୍ଷତ ଚାଷୀର ମନ ଆଉ ପ୍ରାଣ। ଜଗତସିଂପୁର ଜିଲ୍ଲାର ବଂଶୀଧର ସ୍ୱାଇଁ। ପରିଣତ ବୟସରେ ବି ମୁଣ୍ଡ ଝାଳ ତୁଣ୍ଡରେ ମାରି ପାନ ଚାଷ କରି ପରିବାର ଚଳାନ୍ତି ସେ। ହେଲେ ଅମ୍ପନର ଶକ୍ତପ୍ରହାରରେ ଧୂଳିସାତ ହୋଇଯାଇଛି ତାଙ୍କ ଚାଷ ବେଉସା।

ଫଳରେ ଉଜୁଡ଼ା କ୍ଷେତରେ ମନ ମାରି ଅସହାୟ ଅବସ୍ଥାରେ ବସିପଡ଼ିଛନ୍ତି ବଂଶୀଧର। ବଂଶୀଧରଙ୍କ ଭଳି ଜିଲ୍ଲାର ଶତାଧିକ ପାନଚାଷୀଙ୍କ ଏଭଳି ଅବସ୍ଥା। ଖାଲି ପାନ ନୁହେଁ, ପୋଇ, କଖାରୁ, ଭେଣ୍ଡି ଆଦି ପରିବା ଫସଲ ବି ମାଟିରେ ମିଶିଯାଇଛି ବାତ୍ୟା ମାଡ଼ରେ।

ଖାଲି ଜଗତସିଂହପୁର କାହିଁକି, କେନ୍ଦ୍ରାପଡ଼ା ଜିଲ୍ଲାରେ ବି ସମଦଶା ଭୋଗିଛନ୍ତି ଚାଷୀକୂଳ। ପୋଟଳ ହେଉ କି କଲରା, ବାଇଗଣ ହେଉ କି ଭେଣ୍ଡି। ବାତ୍ୟା ସମୟରେ ପବନ ମାଡ଼ରେ ଝାଉଁଳି ଯାଇଛି ସବୁ। ଲୁଣା ଓ କରାଣ୍ଡିଆ ନଦୀ ପଠାରେ ଶହ ଶହ ଏକର ପରିବା କ୍ଷେତରେ ଏବେ ଏଭଳି ଉଜୁଡ଼ା ଚିତ୍ର ଦେଖିବାକୁ ମିଳିଛି।

ସେପଟେ ଭଦ୍ରକ ଜିଲ୍ଲା ଚାନ୍ଦବାଲି, ଧାମରା ଏବଂ ବାସୁଦେବପୁର ଅଞ୍ଚଳରେ ତ ବାତ୍ୟା ପ୍ରଭାବରେ ଲୁଣିପାଣି ମାଡ଼ି ଯାଇ ମୁଗ ଏବଂ ସୂର୍ଯ୍ୟମୁଖୀ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକରେ ଅଧିକ ଅମଳକ୍ଷମ ଧାନ ଉପରେ ଦାଉ ସାଧିଛି ଅମ୍ପନ ବାତ୍ୟା।

ଭଦ୍ରକ ଭଳି ବାଲେଶ୍ୱର ଜିଲ୍ଲାରେ ବି ହଜାର ହଜାର ହେକ୍ଟର ଖରାଟିଆ ଧାନ ଏବଂ ରବି ଫସଲ ନଷ୍ଟ ହୋଇଯାଇଛି। କେଉଁଠି ପାଣିରେ ଉବୁଟୁବୁ ଧାନ ବିଲ ତ ଆଉ କେଉଁଠି ବରବାଦ୍ ହୋଇଯାଇଛି ବାଇଗଣ। ଜିଲ୍ଲାରେ ୨୩୧ଟି ପଞ୍ଚାୟତର ଏଭଳି ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ।

ବାତ୍ୟା ଅମ୍ପନ ମାଡ଼ରେ କେବଳ ଯେ ଚାଷ ବେଉସା ଉଜୁଡ଼ିଛି ତାନୁହେଁ। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଭିତ୍ତିଭୂମି ବି ଭୁଶୁଡ଼ିଯାଇଛି। ଭୋଗରାଇ ବ୍ଲକ ଅଞ୍ଚଳର ଅଧିକାଂଶ ସ୍ଥାନରେ ସମ୍ପୂର୍ଣ୍ଣ ହୋଇପାରିନି ବିଦ୍ୟୁତ ପୁନର୍ବାହାଲ। ବାଲିଆପାଳ, ବସ୍ତା, କମର୍ଦ୍ଦା, ଜାମୁଶୁଳି ଅଞ୍ଚଳର ଗାଁଗୁଡ଼ିକରେ ଏବେ ବି ମରାମତି କାମ ସରିପାରିନାହିଁ। ଫଳରେ ପିଲାଠୁ ବୟସ୍କ ବିଜୁଳି ନଥିବାରୁ ହନ୍ତସନ୍ତ ହେଉଛନ୍ତି।

You might also like