ସନ୍ଧ୍ୟା ଭିତରେ ସ୍ଥଳଭାଗ ଛୁଇଁବ ଅମ୍ପନ, ୧୮୫ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ଆଜି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ପନ। ଭେରି ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉପକୂଳ ଆଡ଼କୁ ମାଡ଼ିଆସୁଛି। ଏବେ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଅମ୍ପନ୍’। ଦୀଘାଠାରୁ ୩୯୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା। ସମୁଦ୍ରରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅର୍ଥାତ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁଲାବେଳେ ପବନର ବେଗ ୧୬୫ରୁ ୧୮୫ କିମି ରହିବ।

ଓଡ଼ିଶାରେ ଆଜି ସକାଳ ଠାରୁ ପବନ ବେଗ ଅଧିକ ରହିବ। ଭୋଗରାଇ, ତାଳସାରି ଅଞ୍ଚଳରେ ପବନ ବେଗ ଅଧିକ ରହିବ। ଏହି ଅଞ୍ଚଳରେ ୧୦୦ରୁ ୧୨୫ କିମି ଯାଏ ପବନ ହୋଇପାରେ।

ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ କରିବ ଅମ୍ପନ। ଅପରାହ୍ନ ୩ଟା ପର୍ଯ୍ୟନ୍ତ ପବନ ବେଗ ଜାରି ରହିବା ନେଇ ଆକଳନ କରାଯାଇଛି। ବୁଲବୁଲ ଯେଉଁ ଅଞ୍ଚଳକୁ କ୍ଷତି କରିଥିଲା, ଅମ୍ପନ ସେହି ଅଞ୍ଚଳକୁ କ୍ଷତି କରିବ। ତେବେ ବୁଲବୁଲ ଠାରୁ ଏହାର ପବନ ତୀବ୍ରତା ବେଶି ରହିବ, କ୍ଷତି ଘଟିବ।

ତେବେ ମଙ୍ଗଳବାର ରାତି ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଥିଲେ ଏସଆରସି। ଓଡ଼ିଶା ଉପକୂଳରେ ସେମିତି ବଡ଼ ଧରଣର ଜୁଆର ଆସିବା ଜଣାପଡୁନି। ତେବେ ବାତ୍ୟାର ପ୍ରକୋପ ନ ସରିବା ଯାଏ କେହି ବାହାରକୁ ବାହାରନ୍ତୁନି ବୋଲି ସେ ନିବେଦନ କରିଛନ୍ତି।

ତେବେ ପ୍ରଭାବିତ ଅଞ୍ଚଳରେ ଏବେ ସୁଦ୍ଧା ୧ ଲକ୍ଷ ୬ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଏସଆରସି ପ୍ରଦୀପ ଜେନା ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପୂରାଦମରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଏସଆରସି କହିଛନ୍ତି।

You might also like