ଖାଁ ଖାଁ ସାତକୋଶିଆ: ସୁନ୍ଦରୀ ଯୋଗୁ ଉଜୁଡ଼ି ଯାଇଛି ସୌନ୍ଦର୍ଯ୍ୟ

ନା ଅଛି ପର୍ଯ୍ୟଟକଙ୍କ ଗହଳି ନା କିଣାବିକାର ଆସର

ଅନୁଗୁଳ: ଖାଁ ଖାଁ ପରିବେଶ, ଶୁନଶାନ୍ ରାସ୍ତା। ନା ଅଛି ପର୍ଯ୍ୟଟକଙ୍କ ଗହଳି ନା କିଣାବିକାର ଆସର। ଟିକେଟ୍ କାଉଣ୍ଟରରେ ଆଉ ପୂର୍ବପରି ଭିଡ଼ ନାହିଁ କି ନେଚର୍ କ୍ୟାମ୍ପ ବି ଖୋଲା ହେବାର ଆଶା ଦିଶୁନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାତକୋଶିଆ ଅଭୟାରଣ୍ୟରେ। ବାଘୁଣୀ ସୁନ୍ଦରୀ ଯୋଗୁ ହୋଇଥିବା ହିଂସାକାଣ୍ଡର ପ୍ରତିଫଳନ ଏବେ ଯାଏ ଏଠି ଦେଖିବାକୁ ମିଳୁଛି।

ସାତକୋଶିଆରେ ହାତୀବାରୀ ବିଟ୍ ହାଉସ୍ ଏବଂ ଟିକରପଡ଼ା ରେଂଜ କାର୍ଯ୍ୟାଳୟରେ ପୋଡ଼ାଜଳା ସହ ବିଭିନ୍ନ ଜାଗାରେ ହୋଇଥିବା ବ୍ୟାପକ ଭଙ୍ଗାରୁଜା ପରିବେଶକୁ କଦାକାର କରିଦେଇଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି। ଏପରିକି ଖୁବ୍ ଆଶା ନେଇ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି।

ବର୍ଷ ତମାମ ସାତକୋଶିଆରେ ଲାଗିରହୁଥିଲା ପର୍ଯ୍ୟଟକଙ୍କ ଗହଳିଚହଳି। ପ୍ରକୃତିର ଅପରୂପ ଶୋଭାରାଜି ସହ କୁମ୍ଭୀର ଗବେଷଣା କେନ୍ଦ୍ର,  ମହାନଦୀ-ଟିକରପଡ଼ାର ଗଭୀର ଗଣ୍ଡ, ପ୍ରାକୃତିକ ଝରଣା, ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦେଶବିଦେଶରୁ ଲୋକେ ଏଠି ଭିଡ଼ ଜମାଉଥିଲେ।

ମାତ୍ର ଏବେ ଆଶାତୀତ ଭାବେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ଚଳିତବର୍ଷ ପର୍ଯ୍ୟଟକ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ସ୍ଥାନୀୟ ଦୋକାନୀ ଏକପ୍ରକାର ହାତ ବାନ୍ଧି ବସିଛନ୍ତି। ଅନ୍ୟପଟେ ସାତକୋଶିଆରେ ହୋଇଥିବା କ୍ଷତିର ଖୁବ୍ ଶୀଘ୍ର ପୁନରୁଦ୍ଧାର ଆରମ୍ଭ କରାଯିବ ବୋଲି ବନବିଭାଗ କତ୍ତୃପକ୍ଷ କହିଛନ୍ତି।

୨୦୧୭-୧୮ ବର୍ଷରେ ୧୬ ହଜାର ୨୦୮ଜଣ ପର୍ଯ୍ୟଟକ ସାତକୋଶିଆ ଆସିଥିବାବେଳେ ଚଳିତବର୍ଷ ଗତବର୍ଷ ତୁଳନାରେ ୩ଭାଗରୁ ମାତ୍ର ୧ ଭାଗ ପର୍ଯ୍ୟଟକ ଆସିଥିବା ତଥ୍ୟ କହୁଛି। ଫଳରେ ରାଜସ୍ୱ ବି ହ୍ରାସ ପାଇଛି।

You might also like