ଶ୍ରମିକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିଲା ଲକ୍‌ଡାଉନ୍‌

ଭୁବନେଶ୍ୱର: ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଓ ମଜୁରିଆ କରୋନା ପାଇଁ ଲକ୍‌ଡାଉନ୍‌ ସ୍ଥିତିରେ ପେଷି ହୋଇଯାଉଛନ୍ତି। କଳକାରଖାନା ବନ୍ଦ ହୋଇଯିବା ଯୋଗୁ ଏମାନଙ୍କର ରୋଜଗାର ବନ୍ଦ ହୋଇଯାଇଛି। ପ୍ରଥମ ପଯର୍ୟାୟର ୨୧ ଦିନିଆ ଲକ୍ ଡାଉନ୍ ଅବଧିକୁ କୌଣସି ପ୍ରକାରେ କାଟିବା ପରେ ଏବେ ପୁଣି ୧୯ ଦିନର ଲକ୍‌ଡାଉନ୍ ସେମାନଙ୍କ ଚିନ୍ତା ବଢ଼ାଇଛି। ପେଟର ଭୋକ ଅସମ୍ଭାଳ କରିବା ପରେ କିଛି ସ୍ଥାନରେ ଶ୍ରମିକଙ୍କ ଧର୍ଯ୍ୟ ବାଡ଼ ଡେଇଁଛି। ଘରକୁ ଫେରିବା ପାଇଁ ଆକୁଳ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକ।

ଟ୍ରେନ ଚଳାଚଳ ସେବା ଆରମ୍ଭ ହେଉଥିବା ଗୁଜବରେ ବିଶ୍ୱାସ କରି ଘରକୁ ଫେରିବାକୁ ଗତକାଲି ବାନ୍ଦ୍ରା ଷ୍ଟେସନରେ ଏକାଠି ହୋଇଥିଲେ ହଜାର ହଜାର ଶ୍ରମିକ। ସାମାଜିକ ଦୂରତା  ରକ୍ଷା ନ ହେବା ଆଶଙ୍କାରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସକୁ ଲାଠି ଚଳାଇବାକୁ ପଡ଼ିଥିଲା।

ସୁରତରେ ବି ସମାନ ଢଙ୍ଗରେ ରାସ୍ତାକୁ ଓହ୍ଲାଇଥିଲେ ଏମ୍ବ୍ରୋଡାରୀ କାରଖାନାରେ କାମ କରୁଥିବା ଶ୍ରମିକ।  ଫ୍ୟାକ୍ଟ୍ରି ବନ୍ଦ ଥିବାରୁ କାମ ନପାଇ ଦାବି କରିଥିଲେ କାମ ଦିଅ ନ ହେଲେ ଘରକୁ ଫେରିବାକୁ ଅନୁମତି ଦିଅ।

ଅନେକ ସମୟ ଧରି ବୁଝାଇବା ପରେ ଫଳ କିଛି ନ ହେବାରୁ ଭିଡ଼ି ଭାଙ୍ଗିବାକୁ ବଳ ପ୍ରୟୋଗ ପାଇଁ ପ୍ରୟାସ କରିଥିଲା ପୋଲିସ। କିଛି ଦିନ ତଳେ ସୁରତରେ ଘରକୁ ଫେରିବା ଦାବିରେ ପୋଡ଼ାଜଳା ବି କରିଥିଲେ ଶ୍ରମିକ।  ତେବେ ଲକଡାଉନ ନ ଉଠିବା ଯାଏ ଶ୍ରମିକଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ଶିବିରରେ ରହିବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ଏପଟେ ଓଡ଼ିଶାରେ ଫସି ରହିଥିବା ଶ୍ରମିକଙ୍କର ଦୁରାବସ୍ଥା ବି କିଛି କମ ନୁହେଁ। ସୁନ୍ଦରଗଡ଼ ଭେଡ଼ାବାହାଲର ଚାଲି ଚାଲି ଝାରସୁଗୁଡ଼ାରୁ ଝାଡ଼ଖଣ୍ଡର ପଲାମୁ ଅଞ୍ଚଳକୁ ବାହାରିଛନ୍ତି ଶ୍ରମିକ। ସମସ୍ତେ ଝାରସୁଗୁଡ଼ାର ବେଦାନ୍ତ କାରଖାନାରେ କାମ କରୁଥିଲେ। ଲକଡାଉନ ଯୋଗୁ ପ୍ରଥମେ ୨୧ ଦିନ ଓ ଏବେ ପୁଣି ୧୯ ଦିନ କାରଖାନା ବନ୍ଦ ହେବାକୁ ଥିବାରୁ କାମ ନ ପାଇ ଚାଲି ଚାଲି ଶହ ଶହ କିମି ବାହାରିଛନ୍ତି ଶ୍ରମିକ।

ବାଲେଶ୍ୱରର ରେମୁଣାର ଏହି ଘରେ ଫସି ରହିଛନ୍ତି ପଶ୍ଚିମବଙ୍ଗ ବିରଭୂମୀର ୪୫ ଶ୍ରମିକ। ଛତିଶଗଡ଼ରୁ ଆସି ଫେରି ପାରି ନଥିବା କିଛି ପରିବାର ବାଣପୁରରେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି। ଗାଡ଼ି ଚଳାଚଳ ବନ୍ଦଥିବାରୁ ବନ୍ଦ ହୋଇଯାଇଛି ଘରକୁ ଫେରିବାର ବାଟ। ଆଉ ବନ୍ଦ ହୋଇଯାଇଛି ରୋଜଗାରର ବାଟ। ରାଜ୍ୟରେ ଏମିତି ୭୭ ହଜାର ବାହାର ରାଜ୍ୟର ଶ୍ରମିକ ନାକାବନ୍ଦୀ ଯୋଗୁ ଫସିଥିବା ବେଳେ ଓଡ଼ିଶା ବାହାରେ ପ୍ରାୟ ଦେଢଲକ୍ଷ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ରାଜ୍ୟରେ ଫସିଥିବା  ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ୨ ହଜାର ୫୫୩ ଅସ୍ଥାୟୀ ଶିବିରରେ ରଖିଛନ୍ତି ସରକାର।

You might also like