ପୁରୀରେ ମଠ ପୁନରୁଦ୍ଧାର ପାଇଁ ଗଠନ ହେବ ଉପସମିତି; ପୁରୀ ଆସୁଛନ୍ତି ଆମିକସ୍‌ କ୍ୟୁରୀ

ପୁରୀ: ପୁରୀରେ ମଠ ଗଠନ ବା ପୁନରୁଦ୍ଧାର ପାଇଁ ଏକ ଉପସମିତି ଗଠନ ହେବ। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି। ମଠ ସଂସ୍କୃତିକୁ ଆଗକୁ ନେବାକୁ ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଏଥିସହିତ ୫ଟି ପ୍ରକଳ୍ପକୁ ଅନୁମୋଦନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିମଧ୍ୟରେ ରଥଦାଣ୍ଡକୁ ଐତିହ୍ୟ କରିଡର, ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉନ୍ନତିକରଣ, ଜଗନ୍ନାଥ ବଲ୍ଲଭରେ ପ୍ରମୋଦ ଉଦ୍ୟାନ, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଆଦି ରହିଛି। କଳିଙ୍ଗ ସ୍ଥାପତ୍ୟ ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ମହାପ୍ରଭୁଙ୍କ ଜମି ବିକ୍ରି ପାଇଁ ୟୁନିଫର୍ମ ପଲିସି ଆଧାରରେ ଇ-ଅକ୍ସନ କରାଯିବ।

ଅନ୍ୟପଟେ ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଶ୍ରୀମନ୍ଦିର ଚୌହଦୀ ଭଙ୍ଗା କାର୍ଯ୍ୟ ଜାରି ରହିଥିବାବେଳେ ଏହାକୁ ନେଇ ବିରୋଧ ବଢୁଥିବା ସହ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ ଆମିକସ କ୍ୟୁରୀ। ଏହି ସମୟରେ ସେ ପୁରୀ ଜିଲ୍ଲା ପ୍ରଶାସନ ସହ ମନ୍ଦିର ପ୍ରଶାସନ ସହ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏଥିସହ ଭଙ୍ଗା ହୋଇଥିବା ଓ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠର ମହନ୍ତଙ୍କ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିପାରନ୍ତି। ଏଠାରୁ ଅନୁଧ୍ୟାନ ସାରି ଆମିକସକ୍ୟୁରୀ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ।

ତେଣେ ଆମିକସ କ୍ୟୁରୀଙ୍କ ଗସ୍ତ ପୂର୍ବରୁ ଆଜି ଶ୍ରୀମନ୍ଦିର ପରିଚଳନା କମିଟିର ବୈଠକ ବସିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି। ଯେଉଁଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

You might also like