ଆଗେଇଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା

୧୨ ସୂତ୍ରୀ ପ୍ରସ୍ତାବ ନେଇ ଆମିକସ୍‌କ୍ୟୁରୀଙ୍କ ଆଲୋଚନା

ପୁରୀ : ଧର୍ମ, ଭକ୍ତ, ସେବକ ଓ ପ୍ରଶାସନ ଶ୍ରୀମନ୍ଦିରର ଏହା ଚାରିଟି ସ୍ତମ୍ଭ। ତେଣୁ ସଂସ୍କାର ପ୍ରକ୍ରିୟାରେ ଯେମିତି ଏଥିରୁ କୌଣସି ଗୋଟିଏ ବି ପ୍ରଭାବିତ ନହୁଏ, ତା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ରଞ୍ଜିତ୍ କୁମାର।

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରଥମେ ଶ୍ରୀନଅରରେ ଠାକୁରଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ସହ କରିଥିଲେ କଥାବାର୍ତ୍ତା। ଏହାପରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ବିସ୍ତୃତ ଆଲୋଚନା କରି ସୁପ୍ରିମକୋର୍ଟଙ୍କ ସଂସ୍କାର ପ୍ରସ୍ତାବର ପୂର୍ଣ୍ଣ କାର୍ଯ୍ୟକାରିତା ନେଇ ସମସ୍ତଙ୍କୁ ଅବଗତ କରାଇବା ସହ ସେମାନଙ୍କ ମୁହଁରୁ ଶୁଣିଥିଲେ ଦାବି ଓ ସମସ୍ୟା।

ଗଜପତି କହିଥିଲେ ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେବା ପରଠାରୁ ଆଉ ଏହାପ୍ରତି ବିଶେଷ ଧ୍ୟାନ ଦେଇନାହାନ୍ତି। ତେବେ ୩ ମୂଳ କ୍ଷେତ୍ରରେ ସଂସ୍କାର ଆସିଲେ ଶ୍ରୀମନ୍ଦିରରେ ଆପେ ଶୃଙ୍ଖଳା ଆସିବ ବୋଲି ସେ ମତ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ୧୨ସୂତ୍ରୀ ସଂସ୍କାର ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କାହିଁକି ଉପୁଜୁଛି ଅସୁବିଧା? କେଉଁ ପ୍ରସଙ୍ଗରେ ନିଯୋଗମାନଙ୍କ ଅସହମତି ରହୁଛି, ତା ଉପରେ ବିସ୍ତୃତ ଭାବେ ସମସ୍ତ ପକ୍ଷ ଶୁଣିଥିଲେ। ଆମିକସ୍‌କ୍ୟୁରୀ ତାସହ ଶ୍ରୀମନ୍ଦିର ଆଇନ୍‌ରେ ସଂଶୋଧନ ପାଇଁ ଗଠିତ ସବ୍‌କମିଟି ଯେଉଁ ସବୁ ପ୍ରସ୍ତାବ ଦେଇଛି ତା ଉପରେ ଆଲୋଚନା ହୋଇଥିବା ବେଳେ ବଂଶାନୁକ୍ରମିକ ସେବା ଉଚ୍ଛେଦ ନକରିବା ଦିଗରେ ବି ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି।

ମହାପ୍ରଭୁଙ୍କୁ ଦର୍ଶନ ସାରି ଆମିକସ୍‌କ୍ୟୁରୀ ରଣଜିତ୍ କୁମାର ଶ୍ରୀମନ୍ଦିରରେ ଅନ୍ୟ ସମସ୍ୟା ଗୁଡିକର ବାସ୍ତବ ସ୍ଥିତି ପରଖିଥିଲେ। ସମସ୍ତ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆମିକସ୍‌କ୍ୟୁରୀ ଖୁବ୍‌ଶୀଘ୍ର ସୁପ୍ରିମ୍‌କୋର୍ଟଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ।

You might also like