ଶ୍ରୀମନ୍ଦିର ସଂସ୍କାର ନେଇ ଗଜପତିଙ୍କୁ ଭେଟିଲେ ଆମିକସ୍‌ କ୍ୟୁରି

ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ କସରତ ଚଳାଇଛନ୍ତି ଆମିକସ୍‌ କ୍ୟୁରି ରଣଜିତ କୁମାର। ଆଜି ସେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ କରିଛନ୍ତି। ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ପ୍ରଥମେ ସେ ଗଜପତି ମହାରାଜାଙ୍କୁ ଭେଟି ଆଲୋଚନା କରିଥିଲେ।

ଶ୍ରୀମନ୍ଦିରରେ ମୁଖ୍ୟତଃ ତିନିଟି କ୍ଷେତ୍ରରେ ସଂସ୍କାର ଆବଶ୍ୟକତା ରହିଛି। ପ୍ରଶାସନିକ, ସେବକ ଓ ଧାର୍ମିକ ସଂସ୍କାର ଆବଶ୍ୟକ ବୋଲି ମତ ଦେଇଛନ୍ତି ଗଜପତି ମହାରାଜ। ଏହାକୁ ନେଇ ସେ ଆଜି ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା କରିଛନ୍ତି। ଏହି କ୍ଷେତ୍ରରେ ସଂସ୍କାର ଆସିବା ପରେ ହିଁ ଅନ୍ୟ ଦିଗରେ ସୁଧାର ଆସିବ ବୋଲି ଗଜପତି କହିଛନ୍ତି ।

୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟିତ୍ୱ ନେଇଥିଲେ। ସେବେଠୁ ସରକାର ଶ୍ରୀମନ୍ଦିର ସମ୍ପର୍କରେ ବିଶେଷ ଧ୍ୟାନ ଦେଇନାହାନ୍ତି ବୋଲି କହିଛନ୍ତି ଗଜପତି ମହାରାଜ। ଦେଶର ଅନ୍ୟ ଧାର୍ମିକ ପୀଠକୁ ସରକାର ନିଜ ହାତକୁ ନେବା ପରେ ଥିବା ଅନେକ ସମସ୍ୟାକୁ ଦୂର କରିଛନ୍ତି। ହେଲେ ଶ୍ରୀମନ୍ଦିରର ସମସ୍ୟା ଉପରେ ଧ୍ୟାନ ଦିଆଯାଇ ନଥିବା କହିଛନ୍ତି ଗଜପତି।

ଆମିକସ୍‌ କ୍ୟୁରି ଓ ଗଜପତି ମହାରାଜଙ୍କ ସହ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ଲୋକ ସଂପର୍କ ଅଧିକାରୀ, ଆଇନ ବିଭାଗ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

You might also like