ଶ୍ରୀମନ୍ଦିରରେ ସଂସ୍କାର ନେଇ ବିଭିନ୍ନ ପକ୍ଷଙ୍କ ମତ ନେଲେ ଅାମିକସ୍‌କ୍ୟୁରୀ

ପୁରୀ : ଶ୍ରୀମନ୍ଦିରରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମ୍‌କୋର୍ଟଙ୍କ ସଂସ୍କାର ମୂଳକ ପ୍ରସ୍ତାବ? ଗଜପତି ମହାରାଜଙ୍କଠୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜସ୍ୱମନ୍ତ୍ରୀ, ଅାଡ୍‌ଭୋକେଟ୍ ଜେନେରାଲ୍, ଛତିଶା ନିଯୋଗ , ଗସ୍ତର ଶେଷ ଦିନରେ ଏମିତି ସବୁ ପକ୍ଷଙ୍କ ସହ ଅାଜି ମାରାଥନ୍ ଅାଲୋଚନା କରିଛନ୍ତି ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ପରିଚାଳନା କମିଟି ସଦସ୍ୟଙ୍କ ସହ ଅାଲୋଚନା ପରେ ଅାମିକସ୍‌କ୍ୟୁରୀ କହିଛନ୍ତି ଶ୍ରୀମନ୍ଦିରର ପରିଚାଳନା ସଂସ୍କାର ଉତ୍ତମ ଦିଶାରେ ହେବ।

ତେବେ ଯେଉଁ ତିନୋଟି ପ୍ରସ୍ତାବକୁ ନେଇ ଅସହମତି ଥିଲା ତା ଉପରେ କଣ ରହିଛି ଅାମିକସ୍‌କ୍ୟୁରୀଙ୍କ ମତ? ପରିଚାଳନା କମିଟି ସହ ଅାମିକସ୍କ୍ୟୁରୀ ଅାଲୋଚନା ପରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଶ୍ରୀମନ୍ଦିରରେ ବଂଶଗତ ସେବା ବଜାୟ ରହୁ। କିନ୍ତୁ ସେବାୟତ ସଂଖ୍ୟାକୁ ହ୍ରାସ କରାଯିବା ଉପରେ ଗୁରୁତ୍ୱ ଦିଅାଯାଇଛି।

ସେହିପରି ଦାନ ଦକ୍ଷିଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ ବନ୍ଦ କରାଯିବା, ବର୍ତ୍ତମାନ ଯେଉଁ ହୁଣ୍ଡି ଅଛି, ତାକୁ ବନ୍ଦ କରି କେବଳ ୪ଟି ପ୍ରମୁଖ ସ୍ଥଳରେ ହୁଣ୍ଡି ରଖିବା, ମନ୍ଦିର ଭିତରେ ଅନ୍ନଦାନ ଅାଟିକା ସମ୍ପୂର୍ଣ୍ଣ ବନ୍ଦ ଏବଂ  ବାହାର ଓ ଭିତର କାଠରେ ଦର୍ଶନ ବେଳେ ଭକ୍ତଙ୍କୁ ଯେମିତି କେହି ବାଧା ନଦିଅନ୍ତି ତାଉପରେ ଅାମିକସ୍‌କ୍ୟୁରୀ ଗୁରୁତ୍ୱ ଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଏଥିସହ ସେବାୟତଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଅାଇ କାର୍ଡର ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଅାଯାଇଥିବା ସେ ସୂଚନା ଦେଇଛନ୍ତି। ତେବେ ସେବାୟତଙ୍କ ସଂଖ୍ୟା ହ୍ରାସ ନେଇ କୌଣସି ଅାଲୋଚନା ହୋଇ ନଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର।

ଏପଟେ ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ବାର୍‌ଆସୋସିଏସନ୍ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୃଥକ ପୃଥକ ଭାବେ ଅାମିକସ୍‌କ୍ୟୁରୀଙ୍କୁ ସ୍ମାରକପତ୍ର ଦିଅାଯାଇଛି। ତେବେ ସବୁ ପକ୍ଷଙ୍କ ସହ ଅାଲୋଚନା ପରାମର୍ଶ ପରେ ସୁପ୍ରିମ୍‌କୋର୍ଟଙ୍କୁ ଅାମିକସ୍‌କ୍ୟୁରୀ କିଭଳି ରିପୋର୍ଟ ଦେଉଛନ୍ତି ତା ଉପରେ ନଜର।

You might also like