ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର: ଦିଲ୍ଲୀରେ ଜଣେ ଓଡ଼ିଆ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଦୈନିକ ଖବର କାଗଜର ଜଣେ ସାମ୍ବାଦିକଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି।
ମହିଳାଙ୍କ ଅଭିଯୋଗ ପରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏତଲା ଦିଆଯାଇଥିଲେ ମଧ୍ୟ ପୁଲିସ୍ ତାଙ୍କୁ ଏଯାଏ ଗିରଫ କରିପାରି ନାହିଁ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁରୁଗ୍ରାମ ଅଞ୍ଚଳରେ ଉକ୍ତ ସାମ୍ବାଦିକଙ୍କ ଘରେ ମହିଳା ଜଣକ କାମ କରୁଥିଲେ। ଗତ ୪ ତାରିଖ ରାତିରେ ସମ୍ପୃକ୍ତ ସାମ୍ବାଦିକ ଜଣକ ମହିଳାଙ୍କ କୋଠରୀକୁ ଯାଇ ତାଙ୍କ ସହ ଅଶ୍ଲୀଳ ଆଚରଣ କରିଥିଲେ। ତେବେ ମହିଳା ଜଣକ କୌଣସି ପ୍ରକାରେ ସେଠାରୁ ଖସି ଯାଇ ତାଙ୍କର ଜଣେ ସାଙ୍ଗଙ୍କ ଘରେ ଆଶ୍ରୟ ନେଇଥିଲେ। ତା ପର ଦିନ ସେ ପୁଲିସ୍ ନିକଟରେ ଏନେଇ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ସଂପୃକ୍ତ ସାମ୍ବାଦିକଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି।
ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।