ହାଜତ ମୃତ୍ୟୁ ଅଭିଯୋଗ ମାମଲା: ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ବାଣ
ଭୁବନେଶ୍ୱର: ବିଧାନସଭାରେ ଉଠିଛି ହାଜତ ମୃତ୍ୟୁ ତାତି। ପୁରୀର କେ. ରମେଶ, ବୀରମିତ୍ରପୁରର ତାରିକ୍ ସଲିମଙ୍କ ମୃତ୍ୟୁକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା କରିଛନ୍ତି। କାହିଁକି ଓ କିଭଳି ଦୁହିଁଙ୍କ ମୃତ୍ୟୁ ହେଲା ? ଦାୟୀ ପୋଲିସଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି? ଏସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲେ ବିରୋଧୀ।
ବିଧାନସଭାର ପ୍ରଥମ ଦିନ ଅପରାହ୍ନ ଅଧିବେଶନରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମାରେ କମ୍ପିଥିଲା ଗୃହ। ସ୍ୱାଭାବିକ କରିବାକୁ ବାଚସ୍ପତି ବାରମ୍ବାର ଗୃହ ମୁଲତବୀ କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ ବି ନିର୍ଯ୍ୟାସ ବାହାରି ପାରିନଥିଲା। ପୋଲିସ ଜୁଲମ ବଢ଼ି ଚାଲିଛି। ତୁରନ୍ତ ପୁରୀ ଏସ୍ପି ଓ ସଂପୃକ୍ତ ଆଇଆଇସିଙ୍କୁ ବହିସ୍କାର କରାଯାଉ ବୋଲି ଦାବି ହେବା ସହିତ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଥିଲେ ଉଭୟ ଦଳର ନେତା।
ସେପଟେ ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ରାଜ୍ୟ ମାନବାଧିକାର କମିଶନରେ ବି ୨ଟି ପୃଥକ୍ ପୃଥକ୍ ମାମଲା ଦାଏର ହୋଇଛି। ଦୁଇଟି ଯାକ ମାମଲାର ତଦନ୍ତ OHRC ନିଜ ସଂସ୍ଥା ଦ୍ୱାରା କରିବାକୁ ଅପିଲ କରିଛନ୍ତି ମାନବାଧିକାର କର୍ମୀ ପ୍ରବୀର ଦାସ। ତାସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ପ୍ରଦାନ ସହ ଦୋଷୀ ପୋଲିସଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ବି ସେ ଅପିଲ କରିଛନ୍ତି।
ସେହିପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ପୁରୀ ହାଜତ ମୃତ୍ୟୁ ଅଭିଯୋଗ ସମ୍ପର୍କରେ ହାଇକୋର୍ଟରେ ବି ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଆବେଦନକାରୀ ଶରତ ରାୟଗୁରୁ କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ ସହ ସଂପୃକ୍ତ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛନ୍ତି। ମାମଲାକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ ମଧ୍ୟ କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ ସହ ସବିଶେଷ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।