ଦୁଇ ବର୍ଷରେ ବୟସ ବଢ଼ିଲା ୨୪ ବର୍ଷ; ଥିଲା ୪୨ ହେଲା ୬୪

ଜଳେଶ୍ୱର(ଅଜିତ କୁମାର ଦାସ): ବର୍ଷକ ମଧ୍ୟରେ ବୟସ ବଢ଼ି ଯାଇଛି ୨୦ ବର୍ଷ। ଖାଲି ଜଣକର ନୁହେଁ କାହାର ବୟସ ୫ ବର୍ଷ ବଢ଼ି ଯାଇଛି ତ ଆଉ କାହାର ୧୦ ବର୍ଷ ଏବଂ ଆଉ କାହାର ୧୫ ବର୍ଷ ବଢ଼ି ଯାଇଛି। ଏପରିକି କାହାର ବୟସ ଏକାଥରକେ ୧୦ ବର୍ଷ ବଢ଼ି ଯାଇଛି। ସାମାଜିକ ସୁରକ୍ଷାରେ ବିଭିନ୍ନ ସୁବିଧା ପାଇବା ଲାଗି ଏହି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଦୁର୍ନୀତିର ଅଭିଯୋଗ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ବସ୍ତା ବ୍ଲକ୍‌ର ସାହାଡା ପଞ୍ଚାୟତର ଭୋଟର ଲିଷ୍ଟରେ ବୟସ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଗୀତାଞ୍ଜଳି ବାରିକ ନାମକ ଜଣେ ମହିଳାଙ୍କ ବୟସ ଭୋଟର ତାଲିକାରେ ୨୦୧୮ରେ ୪୨ ବର୍ଷ ଥିଲା। ହେଲେ ୨୦୨୦ ମସିହାରେ ତାଙ୍କର ବୟସ ୬୬ ବର୍ଷ ଉଲ୍ଲେଖ ରହିଛି। ସେହିପରି ଅଜୟ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ବୟସ ୨୦୧୯ରେ ଭୋଟର ତାଲିକାରେ ୫୬ ବର୍ଷ ଥିଲା। ହେଲେ ୨୦୨୦ ତାଲିକାରେ ତାଙ୍କର ବୟସ ୬୪ ବର୍ଷ କରି ଦିଆଯାଇଛି। କେବଳ ଗୀତାଞ୍ଜଳି ନୁହଁନ୍ତି ସାଧବୀ ସାମଲ, ପୂର୍ଣ୍ଣଚନ୍ଦ୍ର ଦାସ, ଲକ୍ଷ୍ମୀମଣି ଦାସଙ୍କ ଭଳି ୧୪ ଜଣଙ୍କ ବୟସ ବୃଦ୍ଧି କରାଯାଇଥିବା ଅଭିଯୋଗ ହୋଇଛି।

ସବୁଠାରୁ ବଡ଼ କଥା, ଉମାକାନ୍ତ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବୟସ ୬୩ ବର୍ଷ ହୋଇ ଥିବାବେଳେ ୨୦୨୦ ତାଲିକାରେ ତାଙ୍କର ବୟସ ୬୦ ବର୍ଷରୁ କମ୍‌ କରି ଦିଆଯାଇଛି। ସେଥିଲାଗି ସେ ସରକାରଙ୍କ ଅନେକ ଯୋଜନାର ଲାଭ ପାଇପାରୁନଥିବା କହିଛନ୍ତି।

ଭୋଟର ତାଲିକାରେ ପ୍ରକୃତ ବୟସ ସଂଶୋଧନ କରିବାକୁ ହେଲେ ସ୍କୁଲର ପ୍ରମାଣପତ୍ର ଦେବାକୁ ପଡ଼ିଥାଏ। ତେବେ ଯେଉଁ ସବୁ ବ୍ୟକ୍ତିଙ୍କର ବୟସ ପରିବର୍ତ୍ତନ ହୋଇଛି ସେମାନେ ଏଥିଲାଗି କୌଣସି ଆବେଦନ କରିଥିଲେ ନା ନାହିଁ ? କେମିତି ତାଲିକାରେ ବୟସ ବଦଳିଲା ? ଏନେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।

ଅନ୍ୟପଟେ ଯେଉଁ ବ୍ୟକ୍ତିଙ୍କୁ ନେଇ ଅଭିଯୋଗ ଆସିଛି ସେମାନେ କେହି ବୟସ ସଂଶୋଧନ ପାଇଁ ଆବେଦନ କରିନଥିବା ବ୍ଲକର ବିଭାଗୀୟ କର୍ମଚାରୀ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଯଦି କେହି ବୟସ ସଂଶୋଧନ ପାଇଁ ଆବେଦନ କରି ନଥିଲେ, ତା’ହେଲେ ଭୋଟର ତାଲିକାରେ କେମିତି ବଦଳିଲା ବୟସ। ଏସବୁର ତଦନ୍ତ କରାଗଲେ ସବୁକିଛି ସତ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି।

ପଢନ୍ତୁ : ଓଡ଼ିଶାରେ ମେଟ୍ରୋ ଟ୍ରେନ୍‌ ସେବା ନେଇ କୌଣସି ପ୍ରସ୍ତାବ ଆସିନଥିବା କହିଲେ କେନ୍ଦ୍ରମନ୍ତ୍ରୀ 

You might also like