ଢେଙ୍କାନାଳ ବେଅାଇନ ସେଲଟର ହୋମ୍‌ରେ ଝିଅଙ୍କୁ ଯୌନ ନିର୍ଯାତନା

ଢେଙ୍କାନାଳ : ବିହାର ମୁଜାଫରପୁର ସେଲ୍‌ଟର ହୋମ୍‌ର ନୃଶଂସ କାଣ୍ଡ ଭଳି ଢେଙ୍କାନାଳରେ ସାମ୍ନାକୁ ଅାସିଛି ଯୌନ ଶୋଷଣର ସାଂଘାତିକ ଅଭିଯୋଗ। ଘୃଣ୍ୟ ଅାଚରଣର ଲଜ୍ଜାଜନକ ଘଟଣା ଘଟିଛି ଢେଙ୍କାନାଳ ବେଲଟିକିରି ସ୍ଥିତ ବେଅାଇନ୍ ସେଲ୍ଟର ହୋମ ଡ୍ରିମ୍ ସେଣ୍ଟରରେ। ନାବାଳିକାଙ୍କୁ ଦିଅାଯାଇଛି ଯୌନ ନିର୍ଯାତନା।

ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ନାବାଳିକା ଅନ୍ତେବାସୀଙ୍କୁ କରାଯାଇଛି ଶୋଷଣ। ଅାଉ ସେହି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ହେଉଛି ଡ୍ରିମ୍‌ ସେଣ୍ଟର ଇନ୍‌ଚାର୍ଜ ସୀମାଞ୍ଚଳ ନାୟକ। ପୀଡ଼ିତା ଅନ୍ତେବାସୀଙ୍କ ଅଭିଯୋଗ, ଦୀର୍ଘ ୨ ବର୍ଷ ଧରି ସୀମାଞ୍ଚଳ ଏଭଳି ଶୋଷଣ କରିଅାସୁଥିଲେ। କିନ୍ତୁ ଭୟ ଅାଉ ଲଜ୍ଜାରେ ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିଲେ ବୋଲି କହିଛନ୍ତି ଏହି ସେଲ୍‌ଟର୍ ହୋମ୍‌ର କିଶୋରୀମାନେ।

ଏହି ବେଅାଇନ୍ ଡ୍ରିମ୍ ସେଣ୍ଟରର ମୁଖ୍ୟ ହେଉଛନ୍ତି ଫୟାଜ୍ ରେହମାନ। ସେ କୁଅାଡ଼େ ବିଦେଶରେ ରୁହନ୍ତି। ଯାହାଙ୍କୁ ଡାଡି ବୋଲି ସମ୍ବୋଧନ କରନ୍ତି ଏହି ସେଲ୍‌ଟର ହୋମର ନୀରିହ ଅନ୍ତେବାସୀମାନେ। ପ୍ରଥମେ ଏହି ସେଲ୍‌ଟର ହୋମ୍ ଢେଙ୍କାନାଳ ସହରରେ ୨୦୧୨ରୁ ଚାଲିଥିଲା। ତେବେ ଜିଲ୍ଲା ପ୍ରଶାସନ ଏହାକୁ ବେଅାଇନ ଘୋଷଣା କରି ୨୦୧୫ରେ ବନ୍ଦ କରିଦେଇଥିଲା।

ଏନେଇ ହାଇକୋର୍ଟରେ ମଧ୍ୟ ମାମଲା ବିଚାରାଧିନ ରହିଛି । ଏହାସତ୍ତ୍ୱେ ୨୦୧୬ରେ ଢେଙ୍କନାଳ ନିକଟ ବେଲଟିକିରିର ଏକ ନିର୍ଜନ ଇଲାକାରେ ଗଢ଼ି ଉଠିଥିଲା ଏହି ସେଲ୍ଟର୍ ହୋମ୍। ଯେଉଁଥିରେ ରହୁଛନ୍ତି ୫୪ ଜଣ ନାବାଳିକା ଏବଂ ୪୦ ଜଣ ନାବାଳକ । ତେବେ ଗତ ପ୍ରାୟ ୨ ବର୍ଷ ଧରି ସମସ୍ତଙ୍କୁ ଶୋଷଣ ଏବଂ ନିର୍ଯାତନା ଦିଅାଯାଉଥିବାର ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଅାସିଛି। ଏହି ଘଟଣା ପରେ ଅାଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ଶିଶୁ ମଙ୍ଗଳ କମିଟି ମିଳିତ ଭାବେ ଚଢ଼ାଉ କରିଛି ।  ତାସହ ସଦର ଥାନାରେ ଏତଲା ଦେଇଛନ୍ତି ଶିଶୁ ସୁରକ୍ଷା ଅଧିକାରୀ।

ତେବେ କିଏ ସେ ସେଲଟର୍ ହୋମ୍‌ର ମୁଖ୍ୟ ଫୟାଜ୍ ରେହମାନ୍ ? ଗତ ୨ ବର୍ଷ ଧରି ଏଭଳି ନିର୍ଯାତନା ଦିଅାଯାଉଥିଲେ ବି କାହିଁକି ସେ ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ନେଉନଥିଲେ ? ନା ଜାଣିଶୁଣି ଘଟଣାକୁ ଘଣ୍ଟ ଘୋଡାଉଥିଲେ ? ସଂପୃକ୍ତ ସଂସ୍ଥାକୁ ବେଅାଇନ ଘୋଷଣା କରିଥିବା ଜିଲ୍ଲା ପ୍ରଶାସନ କେମିତି ଏ ସମ୍ପର୍କରେ ସୂଚନା ପାଇପାରିନଥିଲା ? ବର୍ତ୍ତମାନ ଏବେ ଏମିତି କିଛି ପ୍ରଶ୍ନ ଘଟଣାକୁ ଅାହୁରି ସମ୍ବେଦନଶୀଳ କରିଦେଇଛି।  (ଢେଙ୍କାନାଳରୁ ରାଜଶ୍ରୀ ଶତପଥୀଙ୍କ ରିପୋର୍ଟ)

You might also like