ସ୍ୱାଧୀନତା ସଂଗ୍ରାମୀଙ୍କୁ ରାସ୍ତାରେ ଛାଡ଼ି ଦେଇ ପଳାଇଲେ ପୁଅ ଓ ବୋହୂ

ଭୁବନେଶ୍ୱର: ବ୍ରିଟିଶ ସରକାରଙ୍କ ଠାରୁ ଲାଠି ମାଡ଼ ଖାଇ ଜେଲ୍‌ ଦଣ୍ଡ ଭୋଗି ଦେଶକୁ ସ୍ୱାଧୀନ କରିଥିବା ସ୍ୱାଧୀନତା ସଂଗ୍ରାମୀ ଆଜି ପରାଧୀନ। ରହିବାକୁ ଘର ନାହିଁ କି ଖାଇବାକୁ ମୁଠେ ଦାନା ମିଳୁନି। ସରକାରଙ୍କଠାରୁ ସଂଗ୍ରାମୀ ଭତ୍ତା ଯାହା ମିଳୁଛି  ତାକୁ ପୁଅ ବୋହୂ ନେଇ ନିର୍ଯାତନା ଦେଉଛନ୍ତି। ଏ ହେଉଛି ସ୍ୱାଧିନତା ସଂଗ୍ରାମୀ ରାଜକିଶୋର ମହାନ୍ତିଙ୍କ ଦୁଃଖଭରା କାହାଣୀ।

ପରିଣତ ବୟସରେ ସ୍ୱାଧିନତା ସଂଗ୍ରାମୀ ରାଜକିଶୋର ମହାନ୍ତି। ବୟସ ୯୫ ବର୍ଷ ପାର ହେଲାଣି। ଗୋରା ସରକାରଙ୍କ ଠାରୁ ଲାଠି ପାହାର ଖାଇ ସଂଘର୍ଷ କରି ଦେଶ ପାଇଁ ସ୍ୱାଧୀନତା ଆଣିଥିବା ରାଜକିଶୋର ଏବେ ନିଜେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି।

ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କଣ୍ଡଳପୁର ଗାଁରେ ତାଙ୍କ ଘର। ସେ ଜଣେ ଶିକ୍ଷକ, ଔପନ୍ୟାସିକ, ଆଶୁକବି ଏବଂ ଶିଶୁ ଲେଖକ ଭାବେ ବେଶ୍‌ ଖ୍ୟାତ ଅର୍ଜନ କରିଛନ୍ତି। ପୁଅ ଅନାମ ପ୍ରସାଦ ମହାନ୍ତି ଓରଫ କୁନା ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଘରୁ ତଡ଼ି ଦେଇଥିବା ରାଜକିଶୋର ଅଭିଯୋଗ ଆଣିଛନ୍ତି। ଭୁବନେଶ୍ୱର ବୁଲାଇ ନେବାକୁ କହି ତାଙ୍କୁ ରାଜଧାନୀରେ ଛାଡି ପୁଅ ପଳାଇଥିବା ରାଜକିଶୋର କହିଛନ୍ତି।

କଳ୍ପନା ଛକ ଠାରେ ୯୫ ବର୍ଷ ବୟସର ଏହି ବୟସ୍କଙ୍କୁ ଦେଖି କିଛି ଲୋକ ପଚାରି ବୁଝିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ମଙ୍ଗଳବାର ରାତିରେ ଏହି ଘଟଣା ଜଣାପଡ଼ିଥିଲା। ସ୍ଥାନୀୟ କର୍ପୋରେଟର  ଅମରେଶ ଜେନାଙ୍କ ସହ ଆଉ କିଛି ସମାଜସେବୀ ମିଶି ରାତ୍ର ଆଶ୍ରୟ ସ୍ଥଳକୁ ନେଇଥିଲେ। ସେଠାରେ ତାଙ୍କୁ ଖାଦ୍ୟପେୟ ଓ ରହିବାର ବ୍ୟବସ୍ଥା କରିଥିଲେ।

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସାରା ଦେଶ ଉତ୍ସବ ମୁଖର ହେଉଥିବା ବେଳେ ସ୍ୱାଧୀନତା ସଂଗ୍ରାମୀଙ୍କୁ ନିଜ ପୁଅ ବୋହୂଙ୍କ ନିର୍ଯାତନା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

You might also like