ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀଙ୍କୁ ସରକାରଙ୍କ ଚରମ ଅବହେଳା ଅଭିଯୋଗ

ଜୟପୁର: ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ରାଜନେତା, ମୂଳରୁ କେହି ବି ଖବର ଦେଇନାହାନ୍ତି। ତେଣୁ କେମିତିବା ଗତକାଲି ଜୟପୁରରେ ଆୟୋଜିତ ଏ ସରକାରୀ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥାନ୍ତେ ରାଜ୍ୟ ଯୋଜନାବୋର୍ଡ ସଦସ୍ୟା କମଳା ପୂଜାରୀ।

ଜୟପୁର ପୌର ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ କିନ୍ତୁ ମଞ୍ଚାସୀନ ଅତିଥି ଥିଲେ ଜିଲ୍ଲାର ଅନ୍ୟ ଜଣେ ରାଜ୍ୟ ଯୋଜନାବୋର୍ଡ ସଦସ୍ୟ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ। ଖାଲି ସେତିକି ନୁହେଁ କାର୍ଯ୍ୟକ୍ରମ ପାଇଁ ବଣ୍ଟାଯାଇଥିବା ନିମନ୍ତ୍ରଣପତ୍ରରେ ବି ନଥିଲା କମଳାଙ୍କ ନାଁ।

ଯାହା ପ୍ରୋଟୋକଲ୍ ବିରୋଧୀ ହୋଇଥିଲେ ବି ଦୋଷ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରକୁ ଠେଲି ଦୁଃଖ ପ୍ରକାଶରେ କାମ ସାରିଦେଇଛନ୍ତି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା, ଡୁଡା ପ୍ରକଳ୍ପ ମୁଖ୍ୟ। ଆଉ ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି କମଳାଙ୍କୁ ଡାକିବାକୁ ସେ କୁଆଡ଼େ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ତେବେ କେବଳ ଏହି ଘଟଣା ନୁହେଁ, କୌଣସି ସରକାରୀ କାର୍ଯ୍ୟକ୍ରମକୁ କମଳାଙ୍କୁ ଡକାଯାଉନି। ବିଭିନ୍ନ କିସମର ପାରମ୍ପରିକ ଧାନ ବିହନର ସଂଗ୍ରାହିକା ସାଜି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ଆଦିବାସୀ ମହିଳା କମଳା ପୂଜାରୀଙ୍କୁ ଗତ ମାର୍ଚ୍ଚ ମାସରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି କରିଥିଲେ ରାଜ୍ୟ ସରକାର।

ପ୍ରୋଟୋକଲ୍ ଅନୁସାରେ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ମିଳିବା କଥା, ହେଲେ ଏଯାଏଁ ତାଙ୍କୁ ନିଯୁକ୍ତି ପତ୍ର ବି ମିଳିନି। ଭଙ୍ଗା ଦଦରା ଘରେ ରହୁଥିବାବେଳର ଦୁର୍ଦ୍ଦଶା ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ପରେ ତାଙ୍କ ଘରର ଚିତ୍ର ଅବଶ୍ୟ ବଦଳିଛି, ହେଲେ ଯୋଜନାବୋର୍ଡ ସଦସ୍ୟଭାବେ କାଣିଚାଏ ବି ସମ୍ମାନ କି ସୁବିଧା ମିଳିଲାନି।

You might also like