ମିଶନ ଶକ୍ତି କାର୍ଯ୍ୟକ୍ରମରେ ବିଜେଡି ଛାପ!

ପୁରୀ : ମହିଳା ସଶକ୍ତିକରଣ ନାଁରେ ବିଜେଡି ସଶକ୍ତିକରଣ ଉଦ୍ୟମ। ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ବାହାନାରେ ଭୋଟ୍ ବ୍ୟାଙ୍କ୍ ରାଜନୀତି। ଗତକାଲି ପୁରୀରେ ମିଶନ ଶକ୍ତିର ଅସଲ ମୁଖା ଖୋଲିଛନ୍ତି ବ୍ରହ୍ମଗିରି ବ୍ଲକର କିଛି ମହିଳା। ମହାସଂଘ ସଦସ୍ୟା ସେମାନେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି ଯେ ,ବ୍ରହ୍ମଗିରି ବ୍ଲକରେ ବିଧାୟକଙ୍କ ଇସାରା ଓ ନିର୍ଦ୍ଦେଶରେ ଚାଲିଛି ମିଶନ ଶକ୍ତି କାର୍ଯ୍ୟକ୍ରମ।

ସେହିଭଳି ଏବେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ଜୀବିକା ମିଶନ ବା ଓଏଲଏମ୍ କାର୍ଯ୍ୟକ୍ରମରେ ବି ଦଳୀୟ ଭିତ୍ତିରେ ଚୟନ ହେଉଛନ୍ତି କର୍ମକର୍ତ୍ତା। ବିଜେଡି ସମର୍ଥିତ ସରପଞ୍ଚ, ସମିତ ସଭ୍ୟଙ୍କ ପତ୍ନୀମାନଙ୍କୁ ହିଁ କର୍ମକର୍ତ୍ତା ନିଯୁକ୍ତ କରାଯାଉଥିବା ଅଭିଯୋଗ ଆସିଛି।

ସେପଟେ ବ୍ଲକରେ ଗଠନ ହୋଇଥିବା ମହିଳା ମହାସଂଘକୁ ରାଜନୈତିକ ଚାପରେ କାମ କରିବାକୁ ପଡୁଥିବା ନେଇ ମୁହଁ ଖୋଲିଛନ୍ତି ଆଉ କିଛି ମହିଳା ସଂଘ ସଦସ୍ୟା।

ସେପଟେ ଗତ ଅକ୍ଟୋବର ୧୫ରେ ସିଡ୍ ମନି ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏଥିପାଇଁ କାହିଁକି ୩ ମାସ ବିଳମ୍ବ ହେଲା ବୋଲି ପ୍ରଶ୍ନ ଉଠାଇଛି ବିଜେପି। ଏହା ଭୋଟ ବ୍ୟାଙ୍କ ପଲିଟିକ୍ସ ବୋଲି ଗତକାଲି ଖୋଲାଖୋଲି ଅଭିଯୋଗ ଆଣିଥିଲେ  ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ।

ସେହିପରି ୨୦୧୩-୧୪ରେ ରାଜ୍ୟରେ ୫.୨୩ ଲକ୍ଷ SHG ଥିଲା। ୨୦୧୭ରେ ଆଉ ୩ ଲକ୍ଷ ଯୋଡି ହେବା ପରେ ସଂଖ୍ୟା ୮ ଲକ୍ଷ ୨୩ ହଜାର ହେବା କଥା। ତେବେ ସରକାରୀ ହିସାବରେ ଏବେ ଏହା ୬ ଲକ୍ଷ ଥିବାରୁ ଅବଶିଷ୍ଟ ୨ଲକ୍ଷ ୨୩ ହଜାର ଏସ୍ଏଚ୍‌ଜି କୁଆଡ଼େ ଗଲେ ବୋଲି ଦଳ ପ୍ରଶ୍ନ କରିଛି। ସେପଟେ କଂଗ୍ରେସ ଏହାକୁ ଭୋଟ୍ ପାଇଁ ନୋଟ୍ ବୋଲି କହିଛି।

ତେବେ ବ୍ରହ୍ମଗିରିର ମହିଳାମାନେ ମିଶନ୍ ଶକ୍ତିର ରାଜନୀତିକରଣ ନେଇ  ବିଧାୟକଙ୍କ ନାଁରେ ଅଭିଯୋଗ ଆଣିଥିବା ବେଳେ ସ୍ଥାନୀୟ ବିଧାୟକ ସଂଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like