ଆର୍ମଡ ଡିସିପିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ

ଭୁବନେଶ୍ୱର: ଆର୍ମଡ କମାଣ୍ଡାଣ୍ଟ୍‌ ଡିସିପି ବିଜୟ କୁମାର ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ସିପାହୀ ନିହାର ରଞ୍ଜନ ନାୟକଙ୍କ ପତ୍ନୀ ଅଭିଯୋଗ ଆଣି କହିଛନ୍ତି, ଝିଅ ଯୋଗାଇବା ପାଇଁ ମୋ ସ୍ୱାମୀଙ୍କୁ ବାଧ୍ୟ କରାଯାଉଥିଲା। ସେ ନ ମାନିବାରୁ ତାଙ୍କୁ ଟ୍ରାନ୍ସଫର୍‌ କରିବା ସହ ଚାକିରିରୁ ବାହାର କରିବା ପାଇଁ ଧମକ ଦିଆଯାଉଥିଲା।

ଚାପରେ ପଡ଼ି ୩ ଦିନ ତଳେ ନିହାର ରଞ୍ଜନ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମଧ୍ୟ ପତ୍ନୀ ଅଭିଯୋଗ କରିଛନ୍ତି। ଏବେ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି। ଏନେଇ ନିହାରଙ୍କ ପତ୍ନୀ, ଭଉଣୀ, ତାଙ୍କ ମା’ ଓ ପୁଅ ପୋଲିସ୍‌ କମିଶନରଙ୍କୁ ଭେଟିଛନ୍ତି। ତଦନ୍ତ କରି କାର୍ଯ୍ୟାନୁୁଷ୍ଠାନ ଗ୍ରହଣ କରିବା ଲାଗି ସେମାନେ ଦାବି କରିଛନ୍ତି।

ସେପଟେ ପୁରା ଅଭିଯୋଗକୁ ମିଥ୍ୟା ବୋଲି ଆର୍ମଡ ଡିସିପି କହିଛନ୍ତି। ସେ କହିଛନ୍ତି, ‘ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ନିହାର ରଞ୍ଜନ ୮ ବର୍ଷ ହେଲା ଏକ ସଂସ୍ଥାରେ ଥିଲେ। ତାଙ୍କୁ ବଦଳି କରି ଦିଆଯାଇଛି। ଏହି ବଦଳିକୁ ଏଡ଼ାଇବା ଲାଗି ସ୍ତ୍ରୀଙ୍କୁ ମାଧ୍ୟମ କରି ସେ ଏଭଳି ଆଶ୍ରୟ ନେଇଛନ୍ତି। ଅଭିଯୋଗର ତଦନ୍ତ କରିବା ଲାଗି ମୁଁ ବରିଷ୍ଠ ଅଧିକାରୀଙ୍କୁ ଅନୁରୋଧ କରୁଛି। ତଦନ୍ତ ପରେ କ’ଣ ସତ ଓ କ’ଣ ମିଛ ତାହା ଜଣାପଡ଼ିବ।

ଆର୍ମଡ ଡିସିପିଙ୍କ ନାଁରେ ଆସିଥିବା ସଙ୍ଗୀନ ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର। ଅତିରିକ୍ତ ସିପି ରେଖା ଲୋହାନୀ ଘଟଣାର ତଦନ୍ତ କରିବେ।

You might also like