ଚୋରି ଗାଡ଼ିର ଠିକଣା ଦେବା ପାଇଁ ଟଙ୍କା ମାଗିଲେ ସାମ୍ବାଦିକ !

ବରଗଡ଼: ଚୋରି ହୋଇଥିବା ଗାଡ଼ିର ଠିକଣା ଦେବା ପାଇଁ ଗାଡି ମାଲିକଙ୍କଠୁ ଜଣେ ସାମ୍ବାଦିକ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛିି ବରଗଡ଼ ଜିଲ୍ଲାରୁ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ବରଗଡ ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତିଙ୍କ ଏକ ଚାରି ଚକିଆ ଗାଡ଼ି ଗତ ୯ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଯାଇଥିଲା। ଏନେଇ ୧୦ ତାରିଖରେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ତେବେ ସେହି ଦିନ ଅପରାହ୍ଣରେ ପ୍ରମୋଦଙ୍କ ଡ୍ରାଇଭର ପାଖକୁ ଅନ୍ୟ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ଗାଡ଼ିର ଠିକଣା ଜାଣିବା ପାଇଁ ଉକ୍ତ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା ହେବାକୁ ସମ୍ପୃକ୍ତ ବ୍ୟକ୍ତି ଜଣକ କହିଥିଲେ। ସାମ୍ବାଦିକ ଜଣକ ଗାଡ଼ିର ଠିକଣା କହିବା ଲାଗି ୫୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ କରିଛନ୍ତି ଗାଡ଼ି ମାଲିକ ପ୍ରମୋଦ। ପରେ ୧୦ ହଜାର ଟଙ୍କାରେ କଥା ଛିଣ୍ଡିବାରୁ ଗାଡ଼ିଟି ବ୍ରହ୍ମଚାରୀ ଠାରେ ଥିବା ସୂଚନା ଦେଇଥିଲେ ସାମ୍ବାଦିକ ଜଣକ।

ନିଜ ଗାଡ଼ିକୁ ଆଣିବା ପରେ ପ୍ରମୋଦ, ସମ୍ପୃକ୍ତ ସାମ୍ବାଦିକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଏକ ମାମଲା ରୁଜୁ କରି ବରଗଡ ଟାଉନ୍ ଥାନା ପୋଲିସ୍‌ ଉକ୍ତ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷେ, ସାମ୍ବାଦିକ ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

You might also like