ଭୁବନେଶ୍ୱର: ବିଜେଡି ଶାସନରେ ସରପଞ୍ଚଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ତଳ ସ୍ତରର ସରକାରୀ କର୍ମଚାରୀଙ୍କଠୁ ମୁଖ୍ୟ ସଚିବଙ୍କ ଯାଏଁ ସମସ୍ତଙ୍କ ପାଇଁ ସଂପତ୍ତି ତାଲିକା ବାଧ୍ୟତାମୂଳକ। ପ୍ରତିବର୍ଷ ଏହି ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟକୁ ପଠାଯିବ ଏବଂ ପବ୍ଲିକ୍ ଡୋମେନରେ ମଧ୍ୟ ଉପଲବ୍ଧ ହେବ। ବିଜେଡି ରାଜ୍ୟ ପରିଷଦ ବୈଠକରେ ଆଜି ଏଭଳି ପ୍ରସ୍ତାବ ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦକୁ ସମ୍ବୋଧନ କରି ନବୀନ କହିଛନ୍ତି ଦୁର୍ନୀତି ହିଁ ବିକାଶର ସବୁଠୁ ବଡ଼ ଶତ୍ରୁ। ଦୁର୍ନୀତିର ମୂଳୋତ୍ପାଟନ ନକଲେ ଆମର ସବୁ ଲଢ଼େଇ ମୂଲ୍ୟ ହୀନ ଦଳୀୟ ନେତାଙ୍କୁ ଦୁର୍ନୀତି ବିରୋଧୀ ମନ୍ତ୍ର ଦେଇ ନବୀନ କହିଛନ୍ତି। ଆମ ସରକାର ମୂଳରୁ ଦୁର୍ନୀତି ବିରୋଧରେ ଲଢ଼େଇ କରି ଆସିଛି। ଦୁର୍ନୀତି ବିରୋଧରେ ଚାଲିଥିବା ସାଲିସ ବିହୀନ ଲଢେଇ ପାଇଁ ଓଡ଼ିଶା ସାରା ଦେଶରେ ସୁନାମ ଅର୍ଜିଛି। ଏବେ ଏ ଦୁର୍ନୀତି ବିରୋଧୀ କଡ଼ା ପଦକ୍ଷେପ ନେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ ବୋଲି ନବୀନ କହିଛନ୍ତି।
https://www.youtube.com/watch?v=7z163121F68
ସେହିଭଳି ଓଡ଼ିଶାର ଲୋକାୟୁକ୍ତଙ୍କୁ ଶକ୍ତିଶାଳୀ ଦର୍ଶାଇ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଯେତେ ଉଚ୍ଚ ପଦରେ ଥିଲେ ବି କାର୍ଯ୍ୟାନୁଷ୍ଠାନ କରୁଛୁ ବୋଲି କହିଛନ୍ତି ନବୀନ। ବର୍ଷକ ମଧ୍ୟରେ ୯୧ ଦୁର୍ନୀତିଗ୍ରସ୍ତଙ୍କୁ ଚାକିରିରୁ ବିଦା କରାଯାଇଛି ଏବଂ ଆଗକୁ ବି ଏ ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ମେଡିକାଲ କଲେଜ୍ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ଲାଗି ମଧ୍ୟ ବିଜେଡି ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବ ଆସିଥିବାରୁ ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ନବୀନ।