ସଟଡାଉନ୍‌ରେ ବନ୍ଦ ରହିଛି ଦୋକାନ: ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ୍

ସଟଡାଉନ୍‌ ପାଇଁ ସବୁ ବନ୍ଦ

  • ଲକଡାଉନ୍‌ ଭିତରେ ସପ୍ତାହାନ୍ତ ସଟଡାଉନ୍‌
  • ସଟଡାଉନ୍‌ର ଦ୍ୱିତୀୟ ଦିନରେ ସମସ୍ତ ଦୋକାନ ବଜାର ବନ୍ଦ
  • ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ୍

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ୍‌। ଆଜି ସଟଡାଉନ୍‌ର ଦ୍ୱିତୀୟ ଦିନ, ଗତକାଲି ଭଳି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ରାଜ୍ୟରେ ଦୈନିକ ବଢିଚାଲିଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ ପ୍ରତି ସପ୍ତାହର ଶେଷ ଦୁଇ ଦିନ ଶନି ଓ ରବିବାର ସଟଡାଉନ୍‌ କରାଯାଇଛି। ଫଳରେ ଏହି ଦୁଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହୁଛି। ଲୋକଙ୍କ ଆତଯାତ ବନ୍ଦ କରିବା ଓ ଭିଡ଼ ନିୟନ୍ତ୍ରଣ କରି ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କେବଳ ମେଡିକାଲ ଓ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ଆତଯାତ ଉପରେ କଟକଣା ରହିଛି। ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ କଟକଣା ବଢ଼ାଯାଇଛି।

ତେବେ ରାଜ୍ୟରେ ଲଗାତାର ଭାବରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଲକ୍‌ଡାଉନ୍‌ ଓ  ସପ୍ତାହାନ୍ତ ସଟ୍‌ଡାଉନ୍‌ ସତ୍ତ୍ୱେ ମଧ୍ୟ ଦୈନିକ ସଂକ୍ରମଣ ୧୦ ହଜାର ତଳକୁ ଖସି ନଥିବା ଦେଖିବାକୁ ମିଳିଛି। ଆଉ ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ରାଜ୍ୟରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ଲକଡାଉନ୍‌ ସହ ରାଜ୍ୟରେ ସଟଡାଉନ୍‌ ମଧ୍ୟ ଜାରି ରହିବ। ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ମିଳୁଥିବା ମହଲତ କମାଇ ଦିଆଯାଇଛି। ଏଣିକି ଦୈନିକ ୬ ଘଣ୍ଟା ବଦଳରେ ୪ ଘଣ୍ଟାକୁ ମଧ୍ୟରେ ଦୈନଦିନ ସାମଗ୍ରୀ କିଣିପାରିବେ ଲୋକେ। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ପରିବାପତ୍ର କିଣିବାକୁ ଅନୁମତି ଦିଆଯାଇଛି। ଆବଶ୍ୟକ ଅନୁସାରେ,  ଲୋକମାନେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିପାରିବେ। ଏହାସହ ବାହାଘର, ବ୍ରତଘର, ଶୁଦ୍ଧି କାର୍ଯ୍ୟରେ ଭୋଜିଭାତକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ଘରକୁ ଡାକି କୌଣସି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ବରଂ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କରୋନା ଲକଡାଉନ୍‌ରେ ଅମାନିଆଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିଛି ପୋଲିସ। ନିୟମ ମାନୁନଥିବା ଲୋକଙ୍କ ବିରୋଧରେ ପୋଲିସ ଫାଇନ୍‌ ଆଦାୟ ମଧ୍ୟ କରୁଛି।

You might also like