ପୁରୀକୁ ସବୁ ରାସ୍ତା ସିଲ୍‌, ଟ୍ରେନ, ବସ୍‌ ଚଳାଚଳ ବନ୍ଦ

ପୁରୀ:କଟକଣା ଭିତରେ ପୁରୀ ରଥଯାତ୍ରା ପାଇଁ ସୁପ୍ରିମ୍‌କୋର୍ଟ ଅନୁମତି ଦେବା ପରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର। ଫୁଲରେ ସଜେଇ ହୋଇ ହସୁଛି ଶ୍ରୀମନ୍ଦିର। ସକାଳୁ ସକାଳୁ ତିନି ଠାକୁରଙ୍କ ନୀତିକାନ୍ତି ସମାପନ ସରିବା ପରେ ତିନି ଠାକୁରଙ୍କ ପହଣ୍ଡି ପାଇଁ ଅପେକ୍ଷା କରାଯାଇଛି।

ଆଜି ଘୋଷଯାତ୍ରା। ହେଲେ ଭକ୍ତଙ୍କ କୋଳାହଳରେ ଫାଟିପଡୁନି ବଡଦାଣ୍ଡ। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବିନା ଭକ୍ତରେ ଚାଲିଛି ରଥଯାତ୍ରା। ୪୧ ଘଣ୍ଟା ପାଇଁ ପୁରୀକୁ ସଟ୍‌ଡାଉନ ଘୋଷଣା କରାଯାଇଛି। ଗତକାଲି ରାତିରୁ ଭୁବନେଶ୍ୱରରୁ ପୁରୀକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ସିଲ କରାଯାଇଛି। ଗତକାଲି ରାତି ୯ଟାରୁ ବୁଧବାର ଦିନ ୨ଟା ପଯର୍ୟନ୍ତ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି

ପୁରୀକୁ ସଂଯୋଗ କରୁଥିବା ୩୧୬ ନମ୍ବର ଜାତୀୟ ରାଜପଥ ଉତ୍ତରା ନିକଟରେ ନାକାବନ୍ଦି କରାଯାଇଛି। ଅନ୍ୟପଟେ ଜଟଣୀଥାନା ବୁଢାପଡା ଓ ତିରୁମଲ୍ଲ ନିକଟ ରାସ୍ତାକୁ ମଧ୍ୟ ସିଲ କରାଯାଇଛି। ବାଲିପାଟଣା ଥାନା ମୁକୁନ୍ଦଦାସପୁର ଓ ବନମାଳୀପୁର ରାସ୍ତାକୁ ବନ୍ଦ କରାଯାଇଛି। ଏ ସମସ୍ତ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବୁଧବାର ପର୍ଯ୍ୟନ୍ତ ଏହି ନାକାବନ୍ଦୀ ବଳବତ୍ତର ରହିବା ସହ ବରିଷ୍ଠ ଅଧିକାରୀମାନେ ନିୟମିତ ଯାଞ୍ଚ କରିବେ।

ଏହାବ୍ୟତୀତ ରଥଯାତ୍ରା ସମୟରେ ପୁରୀର ସମସ୍ତ ପ୍ରବେଶ ପଥ, ବିମାନବନ୍ଦର, ରେଳଷ୍ଟେଶନ, ବଡଦାଣ୍ଡ ସିଲ କରାଯିବ। ରଥଗଡ଼ିବା ସମୟରେ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ। ଏହି ସମୟରେ ଲୋକେ ସେମାନଙ୍କ ଘରୁ ଏପରିକି ହୋଟେଲ ତଥା ଲଜିଂରୁ ବାହାରି ପାରିବେ ନାହିଁ। ରାତି ୮ଟାରୁ କର୍ଫ୍ୟୁ ଜାରି କରାଯିବ ପୋଲିସ୍ ଡିଜି ଅଭୟ କହିଛନ୍ତି । ରଥଯାତ୍ରା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ରଥଯାତ୍ରା ସୁପରିଚାଳନା ପାଇଁ ୩ ବରିଷ୍ଠ ମନ୍ତ୍ରୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରଥଯାତ୍ରା ସରିବା ପର୍ଯ୍ୟନ୍ତ ପୁରୀରେ କ୍ୟାମ୍ପ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ସେହିଭଳି ରଥଯାତ୍ରାକୁ ଶୃଙ୍ଖଳାର ସହ ସମାପନ ପାଇଁ ପୁରୀକୁ ପାସେଞ୍ଜର ଟ୍ରେନ, ବସ୍ ବନ୍ଦ କରିଛନ୍ତି ରାଜ୍ୟ ସରକାର।  ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏ ଟ୍ରେନ, ବସ ବନ୍ଦ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ରଥଯାତ୍ରା ପୂର୍ବରୁ ଗତକାଲି ରାତିରେ ବଡ଼ଦାଣ୍ଡକୁ ବିଷୋଧନ କରାଯାଇଥିଲା। ସିଂହଦ୍ୱାରରୁ ଗୁଣ୍ଡିଚା ମନ୍ଦିର ଯାଏ ଅଗ୍ନିଶମ ବାହିନୀ ପକ୍ଷରୁ ସାନିଟାଇଜ୍ କରାଯାଇଥିଲା॥  ବଡ଼ଦାଣ୍ଡ ଓ ଏହାର ଆଖପାଖ ଅଞ୍ଚଳକୁ ବିଷୋଧନ କରାଯାଇଛି। ସେହିପରି ପୁରୀ ସଟଡାଉନ୍ ହେବା ପରେ ଗତକାଲି ପୋଲିସ୍ ଫୋର୍ସ ପକ୍ଷରୁ ପଇନ୍ତରା ମରାଯାଇଛି। ପୁରୀ ଏସ୍‌ପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଫୋର୍ସ ସହ ବଡ଼ଦାଣ୍ଡରେ ଫ୍ଲାଗ୍ ମାର୍ଚ୍ଚ ସହ ପେଟ୍ରୋଲିଂ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁଯାୟୀ ଗୋଟିଏ ରଥ ଟାଣିବାରେ ୫୦୦ରୁ ଅଧିକ ଲୋକ ନିୟୋଜିତ ହେବେ ନାହିଁ। ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସମେତ ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ ହେବେ।

 

ଆହୁରି ପଢ଼ନ୍ତୁ

You might also like